ଶୀତଳଷଷ୍ଠୀ ଯାତ୍ରା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ଠାରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଲକ୍ଷଲକ୍ଷ ଲୋକଙ୍କ ସମାଗମ ହୋଇଥାଏ, ଏଣୁ ବିଧି ଓ ବ୍ୟବସ୍ଥା ସହିତ ଶାନ୍ତି-ଶୃଙ୍ଖଳା ବଜାୟ ରଖିବାକୁ ପୁଲିସକୁ ଅଥକ ପରିଶ୍ରମ କରିବାକୁ ପଡ଼ିଥାଏ । ଏଥର ପୁଣି କରୋନା କଟକଣା ଯୋଗୁଁ ଦୁଇବର୍ଷର ବ୍ୟବଧାନ ପରେ ଏହାର ଆୟୋଜନ ହେଉ ଥିବାରୁ ଆୟୋଜକ ଓ ଜନସାଧାରଣଙ୍କ ମନରେ ବିପୁଳ ଉତ୍ସାହ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଥିରେ ସବୁ ଆୟୋଜକମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏଥିରେ ସମସ୍ତଙ୍କୁ ତାଗିଦ୍‌ କରାଯାଇଛି ଯେ ଶାନ୍ତି-ଶୃଙ୍ଖଳା ରକ୍ଷା କରିବା ପାଇଁ ସମସ୍ତଙ୍କୁ ସହଯୋଗ କରିବାକୁ ପଡ଼ିବ ।

ଏହି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଶୋଭାଯାତ୍ରା ପାଇଁ ଚିହ୍ନିତ ମାର୍ଗରେ ସ୍ଥାନେ ସ୍ଥାନେ ସିସିଟିଭି କ୍ୟାମେରା ଖଞ୍ଜା ଯାଉଛି, ଏହାର ସହାଯ୍ୟ ନେଇ ଏହି ଶୋଭାଯାତ୍ରାରେ ସାମିଲ ଭିଡ଼ ଉପରେ ପୁଲିସର ତୀକ୍ଷ୍‌ଣ ଦୃଷ୍ଟି ରଖାଯିବ । ଏହି ସଭାରେ ପୁଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ଯେ କୌଣସି ନିଶାସକ୍ତ ବ୍ୟକ୍ତିକୁ ଏହି ଏହି ଶୋଭାଯାତ୍ରାରେ ସାମିଲ କରା ନ ଯାଉ । ପୁଣି ସିସିଟିଭି ଦ୍ୱାରା ଏହା ମଧ୍ୟ ସୁନିଶ୍ଚିତ କରାଯିବ ଯେ କୌଣସି ଅପରାଧୀ ପ୍ରବୃତ୍ତିର ବ୍ୟକ୍ତି ଏହି ଭିଡ଼ରେ ପଶି ନ ଯାଉ । ଜିଲ୍ଲା ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ବରିଷ୍ଠ ପୁଲିସ ଅଧିକାରୀ ସାମିଲ ରହି ନିଜ ନିଜ ମତାମତ ପ୍ରସ୍ତୁତ କରିଥିଲେ ।

Comments (0)
Add Comment