ବାଲିଗୁଡାରେ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ :୨୩ ରୁ ଯାତ୍ରା ଆରମ୍ଭ

ବାଲିଗୁଡା:କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏଥି ନିମନ୍ତେ ପୁରୋହିତ ମାନେ ସକାଳ ସମୟରେ ଶୁଭଖୁଣ୍ଟି ଛେଦନ ନିମନ୍ତେ ନିତିକାନ୍ତିରେ ପୂଜାର୍ଚ୍ଚନା କରି ସୁନାରୀ ଶାଳକୁ ଯାଇ ସୁନା ଓ ରୁପାର କୁରାଢିକୁ ପୁଜା କରି ସେଠାରୁ ଅସ୍ଥାୟୀ ପୀଠ ମା’ବରାଳ ଦେବୀ ମନ୍ଦିର ନିକଟକୁ ଯିବା ପରେ ପୂର୍ବରୁ ଚିହ୍ନଟ ହୋଇଥିବା ଶୁଭଖୁଣ୍ଟି ପାଇଁ ଟାଉନର ଇଲେକ୍ଟ୍ରିସାହିକୁ ଯାଇ ଚିହ୍ନଟ ହୋଇଥିବା ବାଉଁଶ ଗଛତଳେ ପୂଜାର୍ଚ୍ଚନା କରି ତାହାକୁ ଛେଦନ କରି ଏକ ବିରାଟ ପଟୁଆରରେ ପାଟଖଣ୍ଡା ମନ୍ଦିରକୁ ଅଣାଯାଇଥିଲା । ମା ପାଟଖଣ୍ଡାଙ୍କ ସନ୍ଧ୍ୟା ଆଳତୀ ପରେପରେ ଅଣାଯାଇଥିବା ଶୁଭଖୁଣ୍ଟିକୁ ମହାଆଡମ୍ବରରେ ଅସ୍ଥାୟୀ ପୀଠ ମା’ବରାଳ ଦେବୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସାଂସଦ ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି ଟୁନା ଦାସ ଯୋଗ ଦେଇ ଶୁଭଖୁଣ୍ଟିକୁ ଧରି ଅସ୍ଥାୟୀ ପୀଠ ଅଭିମୁଖେ ବାହାରିଥିଲେ । ଏହି କାର୍ଯ୍ୟକ୍ରମରେ ଘୋଡା, ଗାଈ, ବାଘ ହନୁମାନ ପଟୁଆର ନୃତ୍ୟ ଭଳି ବିଭିନ୍ନ ନୃତ୍ୟ ସମେତ ଆତସବାଜି ଫୁଟାଇ ଯାତ୍ରାକୁ ରଙ୍ଗିନ କରିଥିଲେ । ଅସ୍ଥାୟୀ ପୀଠରେ ପହଁଚିବା ପରେ ରିତିନିତି ପ୍ରକାରେ ପୂଜାର୍ଚ୍ଚନା କରି ଶୁଭଖୁଣ୍ଟି ସ୍ଥାପନ କରାଯଇଥିଲା । ପ୍ରକାଶ ଯେ, ମା’ପାଟଖଣ୍ଡାଙ୍କ ଐତିହ୍ୟ ଠାକୁରାଣୀ ଯାତ୍ରା ଚଳିତ ମାସ ଏପ୍ରିଲ ୨୩ ତାରିଖ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ମା’ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ କରାଯିବ । ଏଥିରେ ସମିତିର ସଭାପତି ଲୋକନାଥ ପାଢୀ, ସହସମ୍ପାଦକ ଭଗବତୀ ପ୍ରାସଦ ସାବତ, ସୁଜିତ ପାଳ, କୋଷାଧକ୍ଷ ଡି.ନାଗେଶ୍ୱର ରାଓ, ମଦନ ମୋହନ ପାଢୀଙ୍କ ସମେତ ସମିତିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରୁଥିବା ବେଳେ ଦେଶି ବେହେରା ଭାବେ ଟି.ଶ୍ରୀନିବାସ ଦୋରା ଓ ତାଙ୍କ ଧର୍ମପତ୍ନୀ ମୁଖ୍ୟ ଘଟ ଧରିବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରାରେ ପୁରୋହିତ ତଥା ପୂଜକ ଭାବେ ଫୁଲାବାଣୀର ପୁରୋହିତ ସଂଜୟ କୁମାର ଦାସ, ଶ୍ରୀକାନ୍ତ ପଣ୍ଡା, ସନ୍ତୋଷ କୁମାର ଦାସ, ନିଳକଣ୍ଠ ମିଶ୍ର ,ଟୁଲୁ ପାଢୀ ଓ ବାଲିଗୁଡାର ପୁରୋହିତ ପୁର୍ଣ୍ଣଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମ୍ପାଦନା କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଏହି ଅବସରରେ ପ୍ରତିଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆୟୋଜନ ହେବ । ଯାତ୍ରା ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ପ୍ରତିଦିନ କିପରି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ ହେବ ସେ ନେଇ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଯୁବକ ସଂଘ, ମହିଳା ସଂଘ ଭଳି ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି ।

Comments (0)
Add Comment