ହରଭଙ୍ଗା : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନାମରେ ନାମିତ ଚତୁର୍ଥ ରାଜ୍ୟ ସ୍ତରୀୟ ମା’ ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି । ନଭେମ୍ବର ୨୯ତାରିଖ ରୁ ଡିସେମ୍ବର ୪ତାରିଖ ପଯ୍ୟନ୍ତ ୬ଦିନ ବ୍ୟାପି ହେବ କଳା, ସଂସ୍କୃତି, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ମହା ମିଳନ ହେବ ଏହି ମହୋତ୍ସବରେ । ପ୍ରଥମେ ଏକ ବିରାଟ ପଟୁଆରରେ ଶଙ୍ଖ, ଘଣ୍ଟ, ମୃଦଙ୍ଗ, ଢୋଲ ମହୁରୀ, ଅଘୋରୀ ନୃତ୍ୟ, କୃଷ୍ଣ ଗୁରୁ, ନାମ ସଂକୀର୍ତନ ଶୋଭାଯାତ୍ରାରେ ମାଙ୍କ ମନ୍ଦିରରୁ ଦିବ୍ୟ ଜ୍ୟୋତି ଓ ବିଜୟ ପ୍ରତିମା ହଜାର ହଜାର ଜନ ସାଧାରଣଙ୍କ ହରିବୋଲ ହୁଳହୁଳିରେ ମହୋତ୍ସବ ପଡିଆରେ ପହଂଚି ମଣ୍ଡପରେ ଅବସ୍ଥାପିତ କରାଯାଇଥିଲା । ସନ୍ଧ୍ୟା ଧୁପ ଓ ଆଳତି ପରେ ଅତିଥିଗଣଙ୍କୁ ମଞ୍ଚକୁ ଆମନ୍ତ୍ରିତ କରାଯାଇଥିଲା । ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନିକ ଭାବେ ଚତୁର୍ଥ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ସୁବ୍ରତ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତି ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସାଇ ଚାରିଟେବୁଲ ଟ୍ରଷ୍ଟର ପରିଚାଳକ ସଦାଶିବ ଦାସ, ହରଭଙ୍ଗା ବିଡ଼ିଓ ଶରତ ଚନ୍ଦ୍ର ସେଠୀ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରତିକାନ୍ତି ବଳିୟାରସିଂ ଉପସ୍ଥିତ ଥିଲେ ।କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା । ଆବାହକ ବିଭୁଦତ୍ତ ବୋଷଙ୍କ ଆବାହକତ୍ୱରେ କମିଟିର ସମ୍ପାଦକ ବିବରଣୀ ପଠନ କରିଥିଲେ ଓ ମହୋତ୍ସବକୁ ନେଇ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା । ସରସ୍ୱତୀ ବିଦ୍ୟାମନ୍ଦିର ପୁରୁଣାକଟକ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ, ଅତିଥି ପରିଚୟ କରାଯାଇ ମଞ୍ଚ ସଭାକାର୍ଯ୍ୟ ସମାପନ ହୋଇଥିଲା । ଉକ୍ତ ସଭା କାର୍ଯ୍ୟକ୍ରମରେ ଭୈରବୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ମଞ୍ଚ ପରିଚାଳନା କରିଥିଲେ । ପରେ ଭୁବନେଶ୍ୱର ଓଡିଶୀ ନୃତ୍ୟ,କସ୍ତୁରବା ବାଳିକା ବିଦ୍ୟାଳୟ ପୁରୁଣାକଟକ ଦ୍ୱାରା ପୂଜା ଥାଳି ଭଜନ ନୃତ୍ୟ, ସରସ୍ୱତୀ ବିଦ୍ୟାମନ୍ଦିର ପୁରୁଣାକଟକ ଦ୍ୱାରା ନୃତ୍ୟ, ଭୈରବୀ କନିଷ୍ଠ ଓ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ଫୁଲବାଣୀ କ୍ଳବ ର ଆଦିବାସୀ ନୃତ୍ୟ, ବାଉଁଶୁଣି କଳା ପରିଷଦ ଦ୍ୱାରା ନୂଆଁଖାଇ ନୃତ୍ୟ ସ୍ଥାନୀୟ ଲୁକାୟିତ କଳା ଆଦି ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁରୀ ନୃତ୍ୟ ଓ ଆଦିବାସୀ ନୃତ୍ୟରେ ଦର୍ଶକ ଝୁମିଥିବା ବେଳେ ଅତିଥିମାନେ ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ । ମହୋତ୍ସବ ପଡିଆରେ ସୁସ୍ୱାଦୁ ଖାଦ୍ୟ ଷ୍ଟଲରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ମିନାବଜାର ଚଟପଟି ଖାଦ୍ୟ, ଘରୋଇ ଉପକରଣ, ବିଭିନ୍ନ ବ୍ୟବସାୟିକ ଆଦି ଷ୍ଟଲ ଦେଖିବାକୁ ମିଳିଛି । ମଞ୍ଚ ପରିଚାଳନା ରମେଶ ଚନ୍ଦ୍ର ତାରେଣିଆ କରିଥିବା ବେଳେ ଜନ ଗହଳିକୁ ନେଇ ପୋଲିସ ପ୍ରଶାସନର ସହଯୋଗ ସହିତ ସମ୍ପାଦକ ଅଶୋକ ସେଠୀ,ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ, କାର୍ଯ୍ୟକାରୀ ସଭାପତି ସୁକାନ୍ତ ପଟ୍ଟନାୟକ, ସତୀଶ ବେହେରା, ମନୋଜ ପାଢ଼ୀ, ଅକ୍ରୁର ସେଠିଙ୍କ ସମେତ କମିଟିର ସମସ୍ତ ସଦସ୍ୟ, ଭୈରବୀ କ୍ଳବ, ଡ୍ରାଇଭର ମହାସଂଘର ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।