ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଆଣି ୧୬ଲକ୍ଷ ଟଙ୍କା ହଡ଼ପ, ଦୁଇ କୋର୍ଟଚାଲାଣ

ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଆଣି ୧୬ଲକ୍ଷ ଟଙ୍କା ହଡ଼ପ, ଦୁଇ କୋର୍ଟଚାଲାଣ

ମୁରିବାହାଲ ; ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅଞ୍ଚଳର ବିଭିନ୍ନ ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଆଣି ମୋଟ ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଦାୟିତ୍ୱରେ ଥିବା ଏକ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ଗିରଫ କରି ମୁରିବାହାଲ ପୁଲିସ କୋର୍ଟ ଚାଲାଣ କରିଛି।ଜେଲ୍ ଯାଇଥିବା ଦୁଇ କର୍ମଚାରୀଙ୍କ ମଧ୍ୟରୁ ଜଣେ ହେଲେ ଏହି ଥାନା ମାଳିଶିରା ଗ୍ରାମର ବରିଷ୍ଠ ବିଜେପି ନେତା ତଥା ୨୯ନଂ ହଳଦୀ ଜୋନର ପୂର୍ବତନ ମଣ୍ଡଳ ସଭାପତି ବାଳକୃଷ୍ଣ ପୁଟେଲଙ୍କ ପୁଅ ଚକ୍ରଧର ପୁଟେଲ(୩୨)ଓ ଅନ୍ୟ ଜଣେ ହେଲେ ଦେଓଗାଁ ଥାନା କଛାରପାଲି ଗ୍ରାମର ରାମ ଲୀଳା ନାଟକରେ ସୀତା ଭୂମିକାରେ ଅଭିନୟ କରୁଥିବା ସୁରୁ ସେଠଙ୍କ ପୁଅ କନ୍ଦର୍ପ ସେଠ(୩୯)। ଟିଟିଲାଗଡ ଏସବିଆଇ ଶାଖାର ମୁଖ୍ୟ ପ୍ରବନ୍ଧକ ଦେବାଶିଷ ଯୋଶୀ ଥାନାରେ ଦେଇଥିବା ଏତଲା ମୁତାବକ ଏହି ଅଞ୍ଚଳର ୭ଟି ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଏଜିଏସ ସିକ୍ୟୁର ଭେଲ୍ୟୁ ଲିମିଟେଡ ନାମକ ଏକ ସଂସ୍ଥା ଦାୟିତ୍ଵ ନେଇଥିଲା।ଏହି ସଂସ୍ଥା ବ୍ୟାଙ୍କରୁ ଟଙ୍କା ଆଣି ଏଟିଏମଗୁଡିକରେ ଭର୍ତ୍ତି କରୁଥିଲେ ମଧ୍ୟ କିଛି ଟଙ୍କା ହେରଫେର ହେଉଥିବା ବିଶେଷ ସୂଚନା ସୂତ୍ରରୁ ମିଳିଥିଲା। ସବିଶେଷ ଅଡିଟରୁ ସଂସ୍ଥା ପକ୍ଷରୁ ମୋଟ ୧୫ଲକ୍ଷ ୯୦ହଜାର ୫ଶହ ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା। ଏଥିପାଇଁ ଦାୟୀ ଦୁଇ କର୍ମଚାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଡାକି ପଚରାଉଚରା କରାଯିବା ସହ ବକେୟା ଟଙ୍କା ରିକଭରି ପାଇଁ ବାରମ୍ବାର ତାଗିଦ୍ କରାଯାଇଥିଲା। ଟଙ୍କା ରିକଭରି ନ ହେବାରୁ ଶେଷରେ ଶ୍ରୀ ଯୋଶୀ ଥାନାରେ ଏତଲା ଦେଇଥିଲେ। ଶ୍ରୀ ଯୋଶୀଙ୍କ ଏତଲା ଆଧାରରେ ପୁଲିସ କେଶ ନ ୮୭/୨୫, ଦଫା ୩୧୬(୩),୩୧୬(୫),୩୧୮(୪),(୩)(୫) ବିଏନଏସରେ ମାମଲା ରୁଜ୍ଜୁ କରି ଏସଆଇ ପ୍ରମୋଦ କୁମାର ପଧାନ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଦୁଇଜଣଙ୍କୁ ଆଣି ଅଟକ ରଖି ଅଧିକ ତଦନ୍ତ କରିଥିଲା।ସେମାନେ ଉଭୟ ନିଜ ଦୋଷ ସ୍ଵୀକାର କରିବାରୁ ଉଭୟଙ୍କୁ ଗିରଫ କରାଯାଇଥିଲା। ସୋମବାର ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି।
ଏହି ଟଙ୍କା ହେରଫେର ଘଟଣାରେ ସେମାନଙ୍କଠାରୁ କିଛି ଜବତ ହୋଇନଥିବା ବେଳେ ଉଭୟ ଅଭିଯୁକ୍ତଙ୍କ ସହ ଆଉ କେଉଁମାନେ ସଂପୃକ୍ତ ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ସୂଚନା ଦେଇଛନ୍ତି।

Comments (0)
Add Comment