ପ୍ରେମ ଦିବସରେ ସୁବର୍ଣ୍ଣପୁର ବୁଢାରଜା ସଂଗଠନର ନିଆରା ପ୍ରୟାସ

ସୁବର୍ଣ୍ଣପୁର : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବୁଢାରଜା ୟୁଥ ଏସୋସିଏସନ ପକ୍ଷରୁ ଆଜିର ପ୍ରେମ ଦିବସକୁ ନାରୀ ସୁରକ୍ଷା ଓ ସମ୍ମାନ ଦିବସ ବା ସେବା ଦିବସ ଭାବେ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ଦୀର୍ଘ ଦଶ ବର୍ଷ ଧରି ଏହି ଅନୁଷ୍ଠାନ ଏହି ଦିବସକୁ ନାରୀ ସମ୍ମାନ ଓ ସେବା ଦିବସ ଭାବେ ପାଳନ କରି ମେଗା ରକ୍ତଦାନ ଶିବିର ଆୟୋଜନ କରିଆସୁଛି । ବୁଢାରଜା କ୍ଲବ ଦ୍ୱାରା ଆୟୋଜିତ ଆଜିର ଏହି ଉତ୍ସବରେ ବୁର୍ଲା ଭୀମସାରର ସହଯୋଗୀ ପ୍ରଫେସର ଡଃ ଶଙ୍କର ରାମ ଚନ୍ଦାନୀ ମୁଖ୍ୟ ଅତିଥି, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଉପ ନଗରପାଳ ପ୍ରକାଶ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାନ ଶିବିର ଉଦଘାଟନ ଓ ସଂଗଠନର ଏକ ଆମ୍ବୁଲାନ୍ସ ସେବାକୁ ଲୋକାର୍ପଣ କରିଛନ୍ତି । ଯେଉଁଥିରେ କି ଖୁବ ସ୍ୱଳ୍ପ ମୂଲ୍ୟରେ ଗରିବ ଶ୍ରେଣୀର ଲୋକେ ଏହି ସେବା ପାଇପାରିବେ । କିଛି ଅଘଟଣ ବେଳେ ଏଇ ଆମ୍ବୁଲାନ୍ସ ମାଗଣା ସେବା ଯୋଗାଇ ଦେବ । ଏହି ସ୍ୱେଚ୍ଛାସେବୀ ସଂଗଠନ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଆଜିଠାରୁ ଏହି ଆମ୍ବୁଲାନ୍ସ ସେବାକୁ ଆରମ୍ଭ କରାଯାଇଛି । ସୁବର୍ଣ୍ଣପୁରରେ ୬୦ ଜଣ ଓ ବୀରମହାରାଜପୁର ବ୍ରାଞ୍ଚରେ ୨୮ଜଣ ଯୁବକଯୁବତୀ ସ୍ୱଇଚ୍ଛାରେ ଆସି ଉଭୟ ଶିବିରରେ ରକ୍ତଦାନ କରିଛନ୍ତି । ଦୀର୍ଘ ଦଶ ବର୍ଷ ଧରି ବୁଢାରଜା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ଗୋ ସୁରକ୍ଷା, ସଡକ ସୁରକ୍ଷା, ଭୋକିଲା, ଦୁଃଖୀ ଦରିଦ୍ରଙ୍କ ସେବା, ରକ୍ତଦାନ ଓ ରକ୍ତଦାନ ଶିବିର ଆୟୋଜନ ଭଳି ବିଭିନ୍ନ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ବେଳେ କରୋନା ଭଳି ସଙ୍କଟ ସମୟରେ ମଧ୍ୟ ଏହି ସଂଗଠନର ଉସ୍ସର୍ଗୀକୃତ ସେବା କାର୍ଯ୍ୟକୁ ସହରବାସୀ ଉଚ୍ଚ ପ୍ରଶଂସା କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ଅନେକ ସଂଗଠନ ପକ୍ଷରୁ ଏହି ସଂଘ ଅନେକ ଥର ସମ୍ବର୍ଦ୍ଧିତ ବି ହୋଇଛି । ଏହି ଉତ୍ସବରେ ଡଃ ଚନ୍ଦାନୀଙ୍କ ସମେତ ସହର ତଥା ଜ଼ିଲ୍ଲାର ବହୁ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ, ସାମ୍ବାଦିକ ଯୋଗ ଦେଇ ଆୟୋଜକ ସଂଗଠନର ସ୍ୱେଚ୍ଛାସେବୀ ଓ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଛନ୍ତି । ରେଗୁଲାର ଭାବେ ରକ୍ତ ଦାନ କରିଆସୁଥିବା ଯୁବକ ରାଧେଶ୍ୟାମ ପୁରୋହିତଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ତାପସ ବେଉରା, ଅରୁଣ ମେହେର, ଚିତ୍ତରଞ୍ଜନ ଭୋଇ, ଜଗା ସେଠି, ସ୍ୱାଧୀନ ନାୟକ, ପ୍ରମୁଖ ସମସ୍ତ ସଭ୍ୟ ଏ ଅବସରରେରେ ସହଯୋଗ କରିଥିଲେ । ପ୍ରକାଶଥାଉ କି ଯେ ପ୍ରତି ଗରିବ ଲୋକଙ୍କ ଅସମୟରେ ଦେବଦୂତ ଭଳି ଛିଡା ହୋଇ ସହଯୋଗର ହାତ ବଢ଼ାଉଥିବା ସହରର ବିଶିଷ୍ଠ ସମାଜସେବୀ ତଥା ଏହି ସଂଗଠନର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଏ ଅବସରରେ ଆଉଏକ ମାଗଣା ଭାଇକିଲ ସେବା “ମହାପ୍ରୟାଣ’ ପାଇଁ ଏକ ବୋଲେରୋ ଗାଡି ଦାନ କରି ସ୍ୱେଚ୍ଛାସେବୀଙ୍କୁ ଆହୁରି ଉତ୍ସାହିତ କରିଛନ୍ତି । ଶ୍ରୀ ମଲ୍ଲିକଙ୍କ ଏପରି ମହାନତାକୁ ଉପସ୍ଥିତ ଅତିଥି ତଥା ସମସ୍ତ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି ।

Comments (0)
Add Comment