ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ନକ୍ଷମ ବାସୁଦେବ

ପୁରୀ : ସେ ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ସେ ଅନ୍ତର୍ଯ୍ୟାମୀ । ଭକ୍ତଟିଏ ଦୂର ରହି ଡାକିଲେ ମଧ୍ୟ ସେ ଶୁଣିଥାନ୍ତି ଓ ମନୋକାମନା ପୂର୍ଣ୍ଣ କରନ୍ତି । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଡେଙ୍ଗୁପଦର ଗ୍ରାମର ବାସିନ୍ଦା ଭିନ୍ନକ୍ଷମ ବ୍ୟକ୍ତି ବାସୁଦେବ ଗଡୁଆ । ମହାପ୍ରଭୁଙ୍କ କୃପାରୁ ସେ ସୁଦୂର ସୁବର୍ଣ୍ଣପୁର ଜିଲ୍ଲାରୁ ଏକା ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିବା କହିଛନ୍ତି । ତାଙ୍କର ଗୋଟିଏ ଗୋଡ଼ ନ ଥିବା ହେତୁ ସେ କେବେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେ ନାହିଁ ବୋଲି ମନରେ ବହୁତ ଦୁଃଖ ରହିଥିଲା । ହେଲେ ସେ ମହାପ୍ରଭୁଙ୍କୁ ପ୍ରତିଦିନ ସ୍ମରଣ କରି ଦର୍ଶନ ନିମନ୍ତେ ପ୍ରାର୍ଥନା କରୁଥିଲେ । ଆଉ ଶେଷରେ ମହାପ୍ରଭୁ ତାଙ୍କ ଡାକ ଶୁଣିଛନ୍ତି । ଭିନ୍ନକ୍ଷମମାନଙ୍କୁ ସେବା ଯୋଗାଇ ଆସୁଥିବା ପୁରୀ ପତିତପାବନ ସମାଜ ସେବା ସଂଘ ପକ୍ଷରୁ ତାଙ୍କୁ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ କରାଇବା ସହ ମହାପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ କରାଇଛନ୍ତି । ସେହିପରି ବାସୁଦେବ କିଭଳି ଭଲରେ ଚାଲି ପାରିବେ, ନିଜର ସବୁଦୁନିଆ କାର୍ଯ୍ୟ କରିବେ ସେଥିପାଇଁ ସଂଘ ପକ୍ଷରୁ ଏକ ପ୍ଲାଷ୍ଟିକ ଗୋଡ଼ ମଧ୍ୟ ଦିଆଯାଇଛି । ଯାହା ଫଳରେ ବାସୁଦେବ ପୁଣି ନିଜର ଜୀବନ ଯାତ୍ରା ସ୍ୱାଭାବିକ ନେଇ ଆଶାବାଦୀ ଅଛନ୍ତି । ଗୋଡ଼ ନ ଥିବା ହେତୁ ଘରେ ବସି ରହିଥିବା ବେଳେ ଏବେ କୁତ୍ରିମ ପ୍ଲାଷ୍ଟିକ ଗୋଡ଼ ସାହାଯ୍ୟରେ ସେ ଚଲା ବୁଲା କରି ପାରୁଛନ୍ତି । ନିଜ ଗୋଡ଼ରେ ପୁରୀ ଆସି ସେ କେବେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି କେବେ ଆଉ ଆଶା ରଖି ନ ଥିଲେ ବାସୁଦେବ । କିନ୍ତୁ ମହାପ୍ରଭୁଙ୍କ କୃପାରୁ ତାଙ୍କର ଏକ ଗୋଡ଼ ନ ଥିଲେ ମଧ୍ୟ କୃତ୍ରିମ ଗୋଡ଼ ସାହାଯ୍ୟରେ ସେ ଆସି ଶ୍ରୀଜୀଉଙ୍କ ଦର୍ଶନ ଲାଭ କରି ବେଶ ଖୁସି ଥିବା କହିଛନ୍ତି ବାସୁଦେବ । ତେବେ ଗତ ଦୁଇ ବର୍ଷ ତଳେ ଏକ ରୋଗ ହେତୁ ବାସୁଦେବଙ୍କ ବାମ ଗୋଡ଼ ଅକାମି ହେବା ପରେ ଗୋଡ଼ କଟା ଯାଇଥିଲା । ଫଳରେ ତାଙ୍କ ଜୀବନରେ ଘୋର ଅନ୍ଧକାର ଘୋଟି ଆସିଥିବା ବେଳେ କୌଣସି କାମ ନ କରି ପାରି ଘରେ ବସି ରହିଥିଲେ । ଘରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ ଅକମଣ୍ୟ ହୋଇ ଦୁଶ୍ଚିନ୍ତାରେ ଦିନ କାଟୁଥିଲେ । ହେଲେ ସେ ସୋସିଆଲ ମିଡିଆ ଓ ବିଭିନ୍ନ ନ୍ୟୁଜରୁ ପୁରୀ ପତିତପାବନ ସମାଜ ସେବା ସଂଘର ସେବା ବିଷୟରେ ଅବଗତ ପରେ ଯୋଗାଯୋଗ କରିଥିଲେ । ପରେ ପୁରୀର ପତିତପାବନ ସମାଜ ସେବା ସଂଘ ତାଙ୍କୁ ଆଣି ଚନ୍ଦନପୁର ନିକଟରେ ଥିବା ନିରଂଜନ ସେବାଶ୍ରମରେ ରଖିବା ସହ ଉକ୍ତ ଆଶ୍ରମ ପକ୍ଷରୁ ମାଗଣା ରେ ପ୍ଲାଷ୍ଟିକ ଗୋଡ଼ ବାସୁଦେବ ଙ୍କୁ ଦିଆଯାଇଥିଲା । ନିରଂଜନ ସେବା ଆଶ୍ରମ ପକ୍ଷରୁ ମାଗଣାରେ ଭିନ୍ନକ୍ଷମ ମାନଙ୍କୁ ପ୍ଲାଷ୍ଟିକ ଗୋଡ଼ ଯୋଗାଇ ଦିଆଯାଉଛି । ତେବେ ଭିନ୍ନକ୍ଷମମାନଙ୍କୁ ମାଗଣା ପ୍ଲାଷ୍ଟିକ ଗୋଡ଼ ଯୋଗାଇ ଦେବା ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସମେତ ମହାପ୍ରସାଦ ସେବନ ବ୍ୟବସ୍ଥା ପତିତପାବନ ସମାଜ ସେବା ସଂଘ ପକ୍ଷରୁ କରାଯାଉଥିବା ହେତୁ ସାଧାରଣରେ ପ୍ରଶଂସା କରାଯାଇଛି । ଭିନ୍ନକ୍ଷମ ମାନେ ପତିତପାବନ ସମାଜ ସେବା ସଂଘ ସୋସିଆଲ ମିଡିଆ ପେଜକୁ ଯାଇ ଯୋଗାଯୋଗ କଲେ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

Comments (0)
Add Comment