ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ଦୀକ୍ଷାନ୍ତ କାର୍ଯ୍ୟକ୍ରମ

ଗଞ୍ଜାମ/ବ୍ରହ୍ମପୁର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ପୁଟବଗଡ ଗ୍ରାମଠାରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ନାଟ୍ୟ କ୍ଷେତ୍ରରେ ଗୁରୁ -ଶିଷ୍ୟ ପରମ୍ପରାର ସୁରକ୍ଷା ଏବଂ ଓଡ଼ିଶାର ବିଲୁପ୍ତପ୍ରାୟ ଲୋକ ନାଟକର ପୁନରୁଦ୍ଧାର କ୍ଷେତ୍ରରେ ସରକାରୀ ସହାୟତା ଓ ସୁରକ୍ଷା ପ୍ରଚେଷ୍ଟା ହିଁ ଏହି ଦୀକ୍ଷାନ୍ତ କାର୍ଯ୍ୟକ୍ରମର ଭିତ୍ତିଭୂମି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପ ସଭାପତି ମନ୍ମଥ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଭାରତଲୀଳା ଗୁରୁ ସନ୍ତୋଷ କୁମାର ପାଢ଼ୀ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍‌, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଏକାଡେମୀ ସଦସ୍ୟ ଅନିଲ କୁମାର ପାତ୍ର, ସରପଞ୍ଚ ବି. ସୁଦାମ, କୋରା ମହାରଣା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଲୁପ୍ତ ଲୋକ କଳାର ପୁନରୁଦ୍ଧାର ପ୍ରୟାସ ନିମନ୍ତେ ଏକାଡେମୀର ଏତାଦୃଶ ଉଦ୍ୟମ ପ୍ରତି ଭୂୟସୀ ପ୍ରଶଂସା କରିବା ସହିତ ଜନମାନସରେ ଲୋକ କଳା ପ୍ରତି ଦୁର୍ବଳତା ସୃଷ୍ଟି ପ୍ରୟାସ କରାଯିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଗ୍ରାମସ୍ଥ ନାଟ୍ୟ ସଂସ୍ଥା “ମା’ ସନ୍ତୋଷୀ ଲୋକନାଟ୍ୟ କଳା ସଂଘକୁ ବରିଷ୍ଠ ନାଟ୍ୟ ଗୁରୁ ଯୁଦ୍ଧିଷ୍ଠୀର ନାହାକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ବନଜ କୁମାର ସାହୁଙ୍କର ନିର୍ଦ୍ଦେଶନା କ୍ରମେ “ରାଧା ପ୍ରେମ ଲୀଳା’ ଶିକ୍ଷାଦାନ ନିମନ୍ତେ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଏକାଡେମୀ ତରଫରୁ ସୂଚନା ଦିଆଯାଇଥିଲା । ସ୍ଥାନୀୟ ନାଏବ ସରପଞ୍ଚ ଗଗନ କୁମାର ନାହାକ, ସମିତି ସଭ୍ୟା ମୀନା କୁମାରୀ ସାହୁ, ନାଟ୍ୟ ସଂଘ ପରିଚାଳକ ବି. ନାଗେଶ୍ୱର ରାଓ, ବିଶ୍ୱେଶ୍ୱର ସାହୁ, ରାମେଶ୍ୱର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ପରିଶେଷରେ ନାଟ୍ୟ ସଂଘ ପକ୍ଷରୁ ରାଧା ପ୍ରେମଲୀଳାର କିୟଦ୍‌ ଅଂଶ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ନିରଞ୍ଜନ, ବାପି, ବାବି, ଅକ୍ଷୟ, ରିଙ୍କୁ ପ୍ରମୁଖ ସହାୟତା କରିଥିଲେ । କ୍ଷୀରୋଦ କୁମାର ଦୋରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Comments (0)
Add Comment