ଝରିଗାଁ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

ନବରଙ୍ଗପୁର: ଝରିଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୪ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୨ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ୪୨ଗୋଟି ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ଥିଲା । ଏଥିରେ ରାସ୍ତା ମରାମତି, ନିର୍ମାଣ, ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା, ଆବଶ୍ୟକ ଚିକିତ୍ସା ସୁବିଧା, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନ ମନ୍ତ୍ରୀ ଆବାସ, କର୍ମ ନିଯୁକ୍ତି ପୋଖରୀ ଖନନ, ମତ୍ସ୍ୟ ଚାଷ, ଖାଲିଥିବା ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଏଏନମ, ନିଯୁକ୍ତି, ସ୍କୁଲ ଘର ମରାମତି, ଦିବ୍ୟାଙ୍ଗଙ୍କୁ ସହାୟତା, ଶୌଚାଳୟ ନିର୍ମାଣ, ବଦଳି, ଜମିଜମା ସଂକ୍ରାନ୍ତୀୟ ଇତ୍ୟାଦିର ଆପତ୍ତି, ଅଭିଯୋଗ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଶୁଣାଣୀ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଡିବ୍ୟାଙ୍ଗଙ୍କୁ ୪ଗୋଟି ହୁଇଲଚେୟାର, ୫ଗୋଟି ଟ୍ରାଇ ସାଇକଲ, ୬ ଜଣଙ୍କୁ କୁତ୍ରିମ ଅଙ୍ଗ, ୪ ଜଣକୁ ଶ୍ରବଣ ଉପକରଣ ଏବଂ ଝରିଗାଁ ବ୍ଲକ୍‌ ଚାଟି ଗୁଡ଼ାର ଦେବ୍‌ ଗଉଡ ଓ କୁମାରୀ ଗଉଡଙ୍କୁ ଦିବ୍ୟାଙ୍ଗ ବିବାହ ଆର୍ଥିକ ସହାୟତା ବାବଦକୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ଚେକ୍‌ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଜନ ଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡକ୍ଟର କାଳୀ ପ୍ରସାଦ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା, ଜିଲ୍ଲା ଶିକ୍ଷା ଅଧକାରୀ ପ୍ରଦୀପ କୁମାର ନାଗ, ଜନଜାତି ଉନ୍ନୟନ ସଂସ୍ଥାର ପ୍ରଶାସକ ଅଭିମନ୍ୟୁ ମାଝୀ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନୀଆଳ, ଜିଲ୍ଲା ମତ୍ସ ଅଧିକାରୀ ଜଗଦୀଶ ରାଓ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ଦିଲିପ୍‌ କୁମାର ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ଝରିଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଗୋଷ୍ଟି ଉନ୍ନୟନ ଅଧିକାରୀ, ତହସିଲଦାର, ସରପଞ୍ଚ, ବ୍ଲକ୍‌ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।

Comments (0)
Add Comment