କଥାକାର ରଞ୍ଜନ ପ୍ରଧାନଙ୍କୁ ‘ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର-୨୦୨୩’

ଫୁଲବାଣୀ: କଥାକାର ଗବେଷକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ଚଳିତବର୍ଷର ସମ୍ମାନଜନକ ‘ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର- ୨୦୨୩’ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ପରିଷଦର ଦ୍ୱାଦଶ ବାର୍ଷିକ ଉତ୍ସବ ଅବସରରେ କେନ୍ଦ୍ରାପଡାର ସଂସ୍କୃତି ଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଡକ୍ଟର ପ୍ରଧାନଙ୍କୁ ମାନପତ୍ର, ଉତ୍ତରୀୟ, ତାମ୍ରଫଳକ ସହିତ ନଗର ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାରସ୍ୱତ ସମାରୋହରେ ଜଷ୍ଟିସ ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଉଦ୍‌ଘାଟକ ଭାବେ ପ୍ରଖ୍ୟାତ ଗାଳ୍ପିକ ଡ. ରାମଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବେ କବି ଅପର୍ଣ୍ଣା ମହାନ୍ତି, କଥାକାର ତଥା ‘କାହାଣୀ’ର ସମ୍ପାଦକ ବିଜୟ ନାୟକ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ପରିଷଦର ସମ୍ପାଦକ ସରୋଜ କୁମାର ମହାନ୍ତି, ସମାଲୋଚକ ଡ. ଦିଲ୍ଲୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶାର ବିଶିଷ୍ଟ ଗବେଷକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସ୍ମୃତିରେ ପ୍ରବର୍ତ୍ତିତ ଏହି ପୁରସ୍କାର ପାଇବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ପୁରସ୍କାର ପାଇବା ପରେ କଥାକାର ଡ. ପ୍ରଧାନ ପ୍ରକାଶ କରିଥିଲେ । ଜନଜାତି, ନଦୀ, ପାହାଡ, ଐତିହ୍ୟ, ସଂସ୍କୃତି ଓ ପ୍ରାଚୀନ ଉତ୍କଳୀୟ ପରମ୍ପରାକୁ ନେଇ ଡକ୍ଟର ପ୍ରଧାନଙ୍କର ଏଯାବତ୍‌ ୨୦ରୁ ଅଧିକ ଗବେଷଣା ପୁସ୍ତକ ପ୍ରକାଶ ପାଇ ବେଶ ପାଠକୀୟ ଆଦୃତିଲାଭ କରିପାରିଛି । ‘ଓଡିଶାର ନଦନଦୀ’ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ଉତ୍ତର ଓଡିଶାରେ ବସବାସ କରୁଥିବା ବାଥୁଡି ଜନଜାତି ଗୋଷ୍ଠୀଙ୍କ ସମ୍ପର୍କରେ ଉଚ୍ଚତର ଗବେଷଣା କରି ସେ ପିଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି । ଏହି ପୁରସ୍କାର ପାଇବା ପରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ମହଲରୁ ଡ. ପ୍ରଧାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Comments (0)
Add Comment