ବ୍ଲଡ଼ବ୍ୟାଙ୍କରେ ରକ୍ତର ଅଭାବ, ହୀରାକୁଦ ଥାନାରେ ରକ୍ତଦାନ ଶିବିର ଆୟୋଜିତ

ସମ୍ବଲପୁର:ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସ୍ଥାନୀୟ ବ୍ଲଡ଼ବ୍ୟାଙ୍କରେ ରକ୍ତର ଅଭାବ ଦେଖାଯାଇଛି । ଏ ପରିପ୍ରେକ୍ଷୀରେ ସ୍ଥାନୀୟ ହୀରାକୁଦ ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ୱାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଆନୁଷ୍ଠାନିକ ରୂପେ ଏସଡିପିଓ ସତ୍ୟବ୍ରତ ଦାସ ଏବଂ ହିଣ୍ଡାଲକୋ ମାନବ ସମ୍ବଳ ପ୍ରମୁଖ କୃଷ୍ଣା ପାଢୀ ଉଦଘାଟନ କରିଥିଲେ । ଏଥିରେ ଥାନା ପ୍ରଭାରୀ ଇନସ୍ପେକ୍ଟର ଯାଜ୍ଞସିନୀ ନାଏକ, ଏସଆଇ ବିଭୂତି ପ୍ରଧାନ ଏବଂ ଏସଆଇ ସନ୍ତୋଷ ସ୍ୱାଇଁ ଉପସ୍ଥିତ ଥିଲେ । ଏହି ଶିବିରରେ ସର୍ବମୋଟ ୧୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଡା ପାର୍ଥିବ କୁମାର ବେହେରା, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, ଲାଲୁ ବିଶ୍ୱାସ ଏବଂ ଅନ୍ୟ କର୍ମଚାରୀମାନେ ପରିଚାଳନା କରିଥିଲେ । ହାବିଲଦାର ଏବଂ କନେଷ୍ଟବଳ ସଂଘ ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଏହି ଶିବିର ଆୟୋଜନ କରାଯାଇଥିଲା । ହୀରାକୁଦ ଥାନାର ସମସ୍ତ କର୍ମଚାରୀ, ସ୍ୱାଧିନ ଛତର, ଲକ୍ଷ୍ମୀ ପ୍ରସାଦ ମହାପାତ୍ର, କାର୍ତ୍ତିକ କଲେତ୍‌, ସୁରେନ୍ଦ୍ର ଚଉବେ, ସିଦ୍ଧାନ୍ତ ମହାନ୍ତି, ତ୍ରିବେଣୀ ପଣ୍ଡା, ଦୀପକ ନାଏକ, ଏବଂ ସିଦ୍ଧାର୍ଥ ମିଶ୍ର ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହାକୁ ହିଣ୍ଡାଲକୋ, ଆଇଟିଆଇ କଲେଜ, ଏନଏସସି କଲେଜ ହୀରାକୁଦ ଏବଂ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ । ଏସଡିପିଓ ସତ୍ୟବ୍ରତ ଦାସ ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ, ଇନ୍ସପେକ୍ଟର ଯାଜ୍ଞସିନୀ ନାଏକ ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମାନଙ୍କୁ ଧନ୍ୟବାଦ୍‌ ପ୍ରଦାନ କରିଥିଲେ । ରକ୍ତ ଅଭାବରେ କାହାରି ଜୀବନ ନ ଯାଉ ଏହା ହିଁ ସମ୍ବଲପୁର ପୁଲିସର ଉଦେଶ୍ୟ । ପୁଲିସ ର ଏହି ଶିବିରକ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Comments (0)
Add Comment