ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଲଜ୍ଜା । ଆବାସିକ ବିଦ୍ୟାଳୟରେ ପୁଣି ଲାଗିଲା କଳଙ୍କ । ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ଥାନା ଅଞ୍ଚଳର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି । ଘଟଣା ଜଣାପଡ଼ିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବେଲଘର ଥାନାରେ ଏତଲା ଦିଆଯାଇଛି । ଏତଲା ଅନୁଯାୟୀ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ଆଗରୁ ନଜିର୍ ରହିଛି । କିଛି ଦିନ ପରେ ବର୍ତ୍ତମାନ ପୁଣି ଥରେ ଏଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନସ୍ଥ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଏହି ଆବାସିକ ବିଦ୍ୟାଳୟରେ ୩୧୩ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୨୦୦୮ମସିହାରେ ବେଲଘର ଠାରୁ ୩ କି.ମି ଦୂର ରାଙ୍ଗାପାରୁ ଗ୍ରାମ ନିକଟ ଏକ ନିର୍ଜନ ଜଙ୍ଗଲ ମଧ୍ୟରେ ଏହି ବିଦ୍ୟାଳୟ ସ୍ଥାପିତ ହେଇଥିଲା । ଉନ୍ନତ ଶିକ୍ଷାଦାନ ସହିତ ସମସ୍ତ ପ୍ରକାର ଯତ୍ନନିମନ୍ତେ ଆବଶ୍ୟକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଛାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ଏବଂ ସୁରକ୍ଷା ରହିଥିଲେ ମଧ୍ୟ ଏହିଭଳି ଲଜ୍ଜାଜନକ ଘଟଣାକୁ ନେଇ ଆଦିମ ଜନଜାତି ଛାତ୍ରୀଙ୍କ ସୁରକ୍ଷା ଉପରେ ଏବେ ପ୍ରଶ୍ନ ଉଠିଛି । ବେଲଘର ଥାନା କେଶ ନମ୍ବର ୪୩/୨୨ରେ ଏକ ମାମଲା ରୁଜୁ କରି ଥାନାଧିକରୀ ତଦନ୍ତ ଜାରି ରଖିଛନ୍ତି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ।