ଦଶପଲ୍ଲୀ: ଭତ୍ତାପାଇଁ ଚେତା ବୁଡିଲା । କଥାଟା ଟିକେ ଖଟକା ଲାଗୁଥିଲେ ବି ଏକଦମ୍ ସତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ଗ୍ରାମପଂଚାୟତ କାର୍ଯାଳୟ ନିକଟରେ । ପ୍ରାପ୍ତ ସୂଚନା ଅନୁସାରେ, ଟାକରା ଗ୍ରାମପଂଚାୟତ ଅନ୍ତର୍ଗତ ତିଳାବାଡି ଗ୍ରାମର ୭୭ ବର୍ଷ ବୟସ୍କା ,ସୁଭଦ୍ରା ବେହେରା ଗତମାସରେ ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ଯୋଗୁଁ ଭତ୍ତାପାଇଁ ଯାଇ ନ ପାରିବାରୁ, ତାଙ୍କ ଭତ୍ତାକାର୍ଡ଼ ନେଇ ପୁଅ ପ୍ରଭାକର ଭତ୍ତା ପାଇଁ ଯାଇଥିବାବେଳେ ପଂଚାୟତ ନିର୍ବାହୀ ଅଧିକାରୀ, ହିତାଧିକାରୀ ନଆସିଲେ ଭତ୍ତା ଦେଇ ହେବନାହିଁ ବୋଲି କହି ଫେରାଇ ଦେଇଥିଲେ । ତେଣୁ ଏ ମାସରେ ପୁଅ ପ୍ରଭାକର ଗୋଟିଏ ଅଟୋ ଭଡାକରି ବୃଦ୍ଧା ସୁଭଦ୍ରାଙ୍କୁ ଟାକରା ଗ୍ରାମପଂଚାୟତ କାର୍ଯ୍ୟାଳୟକୁ ନେଇଥିବାବେଳେ, ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ଓ ଥଣ୍ଡା ସହିନପାରି ବୃଦ୍ଧା ଜଣକ ଅଚେତ୍ ହୋଇ ଅଟୋଭିତରେ ହିଁ ପଡିଯାଇଥିଲେ । ପଂଚାୟତ କାର୍ଯ୍ୟାଳୟ ନିକଟରେ ଉପସ୍ଥିତ ଥିବା ଲୋକମାନେ ସଂଗେ ସଂଗେ ତାଙ୍କୁ ସାଷ୍ଟାମ କରିବା ପରେ ପୁଅ ପ୍ରଭାକର ତାଙ୍କୁ ନିଜ ଗ୍ରାମକୁ ନେଇ ଆସିଥିଲେ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ , ଏ ସମସ୍ତ ସରକାରୀ ଯୋଜନା କାହାପାଇଁ ? ଟାକରା ଗ୍ରାମପଂଚାୟତର ବହୁଗ୍ରାମ ପାହାଡ ପର୍ବତ ଘୋରା ମାଳ ଅଂଚଳ ହୋଇଥିବାବେଳେ, ପାନାବାରୀ, ଆସରଡା, ତାବଡା, ମଂଜାରୀ, ମୁଣ୍ଡୁଳୀ ଭଳି ବହୁ ପାହାଡି ଗ୍ରାମରୁ ବୃଦ୍ଧ ବୃଦ୍ଧା,୧୦ ରୁ ୧୨ କିଲୋମିଟର ପାହାଡ ଚଢି ଭତ୍ତାପାଇଁ ଟାକରା ଗ୍ରାମପଂଚାୟତକୁ ଆସି ଅତୀତରେ ବହୁ ହିନସ୍ତା ହେବାର ନଜିର ରହିଛି । ଆଜିର ଘଟଣା, ଜନସାଧାରଣଙ୍କ ମନରେ ଶଙ୍କା ସୃଷ୍ଟି କରିଛି । ଏଣୁ ପଂଚାୟତ ନିର୍ବାହୀ ଅଧିକାରୀ ପାହାଡି ଗ୍ରାମ ନିକଟରେ ବୃଦ୍ଧ ବୃଦ୍ଧା ମାନକୁଂ ଭତ୍ତା ପ୍ରଦାନ କରିବାକୁ ଅଂଚଳବାସୀ ମାନେ ଦାବି କରିଛନ୍ତି ।