ଆଧାର ଅପଡେଟ୍‌ ନିହାତି ଜରୁରୀ

ପୁରୀ : ଅପଡେଟ୍‌ ହୋଇଥିବା ଆଧାର ଏକ ଶକ୍ତିଶାଳୀ ଆଧାର । ଏହା ଜୀବନ ପ୍ରଣାଳୀକୁ ସହଜ କରିଥାଏ ବୋଲି ଜିଲ୍ଲା ସ୍ତରୀୟ ଆଧାର ପରିଚାଳନା କମିଟି ବୈଠକରେ ସୂଚନା ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପରିସରରେ ଏ ସମ୍ପର୍କରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଆଧାର ଏବେ ପ୍ରତିଟି ସରକାରୀ ଓ ଅନ୍ୟାନ୍ୟ କାର୍ଯ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି କହିଥିଲେ । ତେଣୁ ନିୟମ ଅନୁସାରେ ଆମକୁ ଆଧାର ସମ୍ପର୍କିତ ଅପଡେଟ୍‌ ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାର ଅଛି । ଏଥିରେ ଯୋଗଦେଇ ୟୁ ଆଇ ଡି ଏ ଆଇର ନିର୍ଦ୍ଦେଶକ କଲୋନେଲ ପ୍ରଶାନ୍ତ କକ୍କର ବିସ୍ତୃତ ସୂଚନା ଦେଇ ପୁରୀ ଜିଲ୍ଲାରେ ମୋଟ ଉପରେ ଆଧାର ଜେନେରେସନର ସ୍ଥିତି ଠିକ ଥିଲେ ମଧ୍ୟ ୦-୫ ବର୍ଷ ବୟସ ଶିଶୁ ମାନଙ୍କ ଆଧାର ଜେନେରେସନକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏଥିପାଇଁ ସମାଜ କଲ୍ୟାଣ ବିଭାଗ ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କର ଗୁରୁ ଦାୟିତ୍ୱ ରହିଛି । ପ୍ରତି ୫ ବର୍ଷ ରେ ଆଧାର ଅପଡେସନ ଓ ଅଥଣ୍ଟିକେସନ ହେବା ଜରୁରୀ । ମୋବାଇଲ ନମ୍ବର ସଂଯୋଗ, ବାଇଓମେଟ୍ରିକ ଅଥଣ୍ଟିକେସନ, ଡକୁମେଣ୍ଟ ଅପଡେଟ୍‌ ଇତ୍ୟାଦି ପ୍ରକ୍ରିୟା ସମ୍ପର୍କରେ ସେ ବିଷଦ ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ବୈଠକ ଆହ୍ୱାନ କରାଯାଇ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର, ଜିଲ୍ଲା ଇ ଡିଷ୍ଟ୍ରିକ୍ଟ ମ୍ୟାନେଜର ପିୟୁଷ ଚକ୍ରବର୍ତ୍ତୀ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ପ୍ରାଚୀର ପତ୍ରକୁ ଅଧିକାରୀମାନେ ପ୍ରଦର୍ଶନ କରିଥିଲେ ।

Comments (0)
Add Comment