ଡ଼୍ରାଇଭର୍‌ ମହାସଂଘ ଆନ୍ଦୋଳନ, ଖାଉଟି ମୁଣ୍ଡରେ ଚଡକ

ଦଶପଲ୍ଲା : – ସାଧାରଣ ଭାବେ ରାଜ୍ୟରେ କିଛି ପ୍ରାକୃତିକ ବିପର୍ଯ୍ୟୟ ଘଟିବା ଆଶଙ୍କା ପ୍ରକାଶ ପାଇଲେ ବିଭିନ୍ନ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ହୁହୁ ହୋଇ ବୃଦ୍ଧି ପାଇଥାଏ । ହେଲେ ଏବେ ରାଜ୍ୟରେ ସେପରି କିଛି ବିପର୍ଯ୍ୟୟ ଆଶଙ୍କା ନଥିଲେ ହେଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁହୁ ହୋଇ ବଢ଼ୁଛି । ଆଜି ବିଭିନ୍ନ ଦାବିନେଇ ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଏଥିପାଇଁ ଡ଼୍ରାଇଭର୍‌ ମହାସଂଘ ତରଫରୁ ୨ ଦିନ ହେଲା ଗାଁ ଗାଁରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ଚାଲିଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗାଡ଼ି ମୋଟର ବନ୍ଦ ହୋଇଯିବା ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ଠପ୍‌ ହୋଇଯିବ । ଏଭଳି ପ୍ରଚାର ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହାର ଫାଇଦା ଉଠାଇବାକୁ ଅନେକ ଅସାଧୁ ବ୍ୟବସାୟୀ ଅଣ୍ଟା ଭିଡ଼ିଛନ୍ତି । ୩ ଦିନ ତଳେ ଆଳୁର ମୂଲ୍ୟ ୧୦ ଟଙ୍କା ରହିଥିବା ବେଳେ ଆଜି ଏହାର ମୂଲ୍ୟ ୧୬ରୁ ୧୮ ଟଙ୍କା ପର୍ଯ୍ୟନ୍ତ ଛୁଇଁଲାଣି । ସମସ୍ତ ବ୍ୟବସାୟୀ ନିଜ ନିଜ ଗୋଦାମରେ ଆଳୁ, ପିଆଜ ଆଦି ମହଜୁଦ କରି ରଖିଥିବା ବେଳେ ଡ୍ରାଇଭର୍‌ଙ୍କ ଆନ୍ଦୋଳନକୁ ମୋହରା ସଜାଇ ଏସବୁ ସାମଗ୍ରୀର ଦର ବୃଦ୍ଧି କରି ଚାଲିଛନ୍ତି । ଯାହାକୁ ନେଇ ସାଧାରଣ ଖାଉଟିଙ୍କ ମୁଣ୍ଡରେ ଏହାର ଚଡ଼କ ପଡ଼ିଛି । ଏହା ମଧ୍ୟରେ ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ ।

Comments (0)
Add Comment