ବନୀକରଣ,ନର୍ସରୀ କୌଶଳ,ମୃତ୍ତିକା ଓ ଜଳ ସଂରକ୍ଷଣ ଉପରେ ତାଲିମ

ନବରଙ୍ଗପୁର: ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟ ସଭାଗୃହରେ ବନୀକରଣ, ନର୍ସରୀ କୌଶଳ, ମୃତ୍ତିକା ଓ ଜଳ ସଂରକ୍ଷଣ ଉପରେ ବନାଞ୍ଚଳ୍‌ ଅଧିକାରୀ,ବନପାଳ ଓ ବନ କର୍ମଚାରୀ ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବନଖଣ୍ଡ ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର ଯୋଗ ଦେଇ ବନୀକରଣର ବିଭିନ୍ନ ପ୍ରକାର କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ନବରଙ୍ଗପୁର ଅବସରପ୍ରାପ୍ତ କୃଷି ଅଧିଦର୍ଶକ ନିଳାଞ୍ଚଳ ମିଶ୍ର ନର୍ସରୀ ଉପରେ ଧାରଣା ଦେଇ କହିଥିଲେ ଯେ ନର୍ସରୀ ହିଁ ବନୀକରଣର ସଫଳତା ଉପରେ ଆଧାରିତ, ଚାରାକୁ କିପରି କୀଟପତଙ୍ଗ ଠାରୁ ରକ୍ଷା କରିବେ, ମଞ୍ଜିର ସୁସ୍ଥତା ନେଇ ଚାରାର ସୁସ୍ଥତା ନିର୍ଭର କରେ, ମଞ୍ଜିକୁ କିପରି ବିଶୋଧନ କରି ମାଟିରେ ପୋତିବା କିମ୍ବା ଛୋଟ ଛୋଟ ଚାରା ଗୁଡିକ ଚାରା ପଡିଥିବା ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ରୋପଣ କରାଯିବ ସେନେଇ ବୁଝାଇଥିଲେ । ଗୋଟିଏ ଚାରାର ମଞ୍ଜିବୁଣିବା ଠାରୁ ତାର ଯତ୍ନ ୧୮ ମାସ ପର୍ଯ୍ୟନ୍ତ କିପରି କରାଯିବ ସେ ଉପରେ ସୂଚନା ଦେଇଥିଲେ । ଡାବୁଗାଁ ଭରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ରେଞ୍ଜ ଅଧିକାରୀ ଗୌତ୍ତମ ସେଠୀ ଯୋଗ ଦେଇ ମୃତ୍ତିକା ସଂରକ୍ଷଣର ଏଗ୍ରୋନୋମିକାଲ ଯାହାକି ହଳ ସାହାଯ୍ୟରେ ଥାକ ଥାକ ପ୍ରଣାଳୀରେ ଏବଂ ମେକାନିକାଲ ଉପାୟରେ କିପରି ଭାବରେ ମୃତ୍ତିକା ସଂରକ୍ଷଣ କରାଯାଏ ଓ ବିଭିନ୍ନ ପ୍ରକାରର ପ୍ରଣାଳୀରେ ମୃତ୍ତିକା ସଂରକ୍ଷଣ କରାଯାଇପାରିବ ତାହା ବର୍ଣ୍ଣନା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ବିକାଶ ସଂଗଠନର ମୁଖ୍ୟ ଈଶ୍ୱର ସାବତ ଯୋଗ ଦେଇ ବନୀକରଣ, ଜଳ ଓ ମ୍ରୁତିକା ସଂରକ୍ଷଣ ଉପରେ ସୁଚନା ଦେଇ ଥିଲେ । ଏହି ତାଲିମ ଶିବିରରେ ନବରଙ୍ଗପୁର ବନଖଣ୍ଡର ୬ଟି ବନାଞ୍ଚଳର ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରକ୍ଷୀ ପ୍ରାୟ ୩୦ ଜଣ ଉପସ୍ଥିତ ରହି ତାଲିମ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ, ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ, ମଇଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Comments (0)
Add Comment