ବାହାଡାଝୋଲାରେ ପାନୀୟ ଜଳ ସମସ୍ୟା

ଦଶପଲ୍ଲା :ଗ୍ରୀଷ୍ମ ପ୍ରଭାବ ଆରମ୍ଭ ହୋଇଥିବା ସମୟରେ ନୂଆଗାଁ ବ୍ଲକ ବାହାଡାଝୋଲା ଗ୍ରାମପଞ୍ଚାୟତରେ ଦେଖା ଦେଇଛି ପାନୀୟ ଜଳ ସଙ୍କଟ । ପଞ୍ଚାୟତର କେତେକ ନିର୍ଦ୍ଦିଷ୍ଟ ସାହିରେ ପାନୀୟ ଜଳ ଯୋଗାଣ ନେଇ ଅସୁବିଧା ଥିବା କଥା ସାମନାକୁ ଆସିବା ପରେ ବାହାଡାଝୋଲା ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ ସମସ୍ୟାର ସମାଧାନ ତ ଦୂରର କଥା ବରଂ ସମିତି ସଭ୍ୟା ଙ୍କ ବୟାନ ଥିଲା ଭିନ୍ନ ପ୍ରକାରର । ସେ ଲାଇନର ଲୋକମାନେ ଆମକୁ ଭୋଟ ଦେଇ ନାହାନ୍ତି, ତାଛଡା ସବୁଠାରୁ ବଡ଼ କଥା ହେଉଛି ସବୁ କାମ କ’ଣ ସରପଞ୍ଚ ଓ ସମିତି ସଭ୍ୟା କରିବେ କି? ଏହା କହି ଚାଲି ଯାଇଥିଲେ ନବ ନିର୍ବାଚିତ ସମିତିସଭ୍ୟା ମିତା ଅଧିକାରୀ । ଏ ଘଟଣାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ । ସଂପୂର୍ଣ୍ଣ ଘଟଣା ପରେ ଏବେ ଆକ୍ସନ ମୁଡରେ ନବ ନିର୍ବାଚିତ ବାହାଡାଝୋଲା ପଞ୍ଚାୟତର ୧୮ ନମ୍ବର ୱାର୍ଡ଼ର ୱାର୍ଡ଼ ମେମ୍ବର ସ୍ୱପ୍ନା ନାୟକ । ଗ୍ରାମପଞ୍ଚାୟତର ସାଧାରଣ ବୈଠକରେ ଏସବୁକୁ ନେଇ ଦାବି କରିବା ସହ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି । କେବଳ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ନୁହେଁ ବରଂ ସ୍ୱଚ୍ଛ ଭାରତ ଯୋଜନାଠାରୁ ଆରମ୍ଭ କରି ସାମାଜିକ କଲ୍ୟାଣ ଯୋଜନାର ଗରିବ ଲୋକଙ୍କ ଅର୍ଥକୁ ବାଟବଣା କରାଯାଉଥିବା ଦର୍ଶାଇ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଦାବିର କପିକୁ ୫-ଟି ସଚିବ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପଠାଇଥିବା ବାହାଡାଝୋଲା ଗ୍ରାମପଞ୍ଚାୟତର ୱାର୍ଡ ମେମ୍ବର ସ୍ୱପ୍ନା ନାୟକ ସୂଚନା ଦେଇଛନ୍ତି । ୧୮ ନମ୍ବର ୱାର୍ଡ଼ ମେମ୍ବରଙ୍କ ପଦକ୍ଷପ ଦେଖିକରି ଛାନିଆ ହେବାକୁ ବସିଲାଣି ସ୍ଥାନୀୟ ପ୍ରଶାସନ । ସେପଟେ ପାନୀୟ ଜଳ ବିଭାଗ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ । ତେବେ ଦେଖିବାକୁ ବାକି ରହିଲା ବାହାଡାଝୋଲା ଗ୍ରାମପଞ୍ଚାୟତରେ କେବେ ହେଉଛି ପିଇବା ପାଣି ସମସ୍ୟାର ସମାଧାନ ।

Comments (0)
Add Comment