ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଦୁଇ ଦିନିଆ ଗସ୍ତରେ ଆଜି ସମ୍ବଲପୁର ଆସିଛନ୍ତି । ଆଜି ପ୍ରାତଃ ତପସ୍ୱିନୀ ଏକ୍ସପ୍ରେସ ଯୋଗେ ରାଜଧାନୀ ଭୁବନେଶ୍ୱରରୁ ଏଠାକୁ ଆସି ପହଞ୍ଚିଲା ପରେ ସମ୍ବଲପୁର ରେଲ ଷ୍ଟେସନରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥଇଲା । ସେଠାରୁ ଏମସିଏଲ ଅତିଥି ଭବନରେ କିଛି କ୍ଷଣ ବିଶ୍ରାମ ଓ ତାଜା ହେଲା ପରେ ସେ ଏଠାକାର ବସନ୍ତପୁର ଠାରେ ନିର୍ମିତ ଆଇଆଇଏମ୍‌ର ନୂତନ ଭବନ ଓ ପରିସର ନିରୀକ୍ଷଣ କରିଥିଲେ । ସେଠାରୁ ସେ ସନ୍ନିକଟ ସୈନିକ ସ୍କୁଲକୁ ପରିଦର୍ଶନ ପାଇଁ ଯାଇଥିଲେ । ସେଠାରୁ ତାଙ୍କୁ ସ୍ଥାନୀୟ ବ୍ଲକ ମୁଖ୍ୟାଳୟ ଯୁଯୁମୁରାକୁ ନିଆଯାଇଥିଲା । ସେଠାରେ କେନ୍ଦ୍ର ସରକାର ଗଠନର ଆଠବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ ସାମିଲ ହୋଇ ଏହି ଦିବସକୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବା ପାଇଁଁ ବୃକ୍ଷାରୋପଣ କରିଥିଲେ । ଏହି ଅବସରରେ ଯୁଯୁମୁରା ଠାରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁଷ୍ଠିତ ଏକ କର୍ମୀ ସମ୍ମିଳନୀରେ ସାମିଲ ହୋଇ ସେ ନିଜ ପାର୍ଟି କର୍ମୀଙ୍କୁ ସମ୍ବୋଧିତ ମଧ୍ୟ କରିଥିଲେ । ସେଠାରୁ ଫେରି ଅପରାହ୍ନରେ ସେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈ ମନ୍ଦିର ପହଞ୍ଚି ମାଁ ଆଶିର୍ବାଦ ଲାଭ କରିବା ସହିତ ସନ୍ଧ୍ୟାରେ ଶୀତଳଷଷ୍ଠୀ ଉପଲକ୍ଷେ ନବ ବିବାହିତ ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତିଙ୍କ ଦର୍ଶନ କରିବେ ।

Comments (0)
Add Comment