ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲାରେ ମହାବନ୍ଦକୁ ସମର୍ଥନ

ସୁବର୍ଣ୍ଣପୁର : ଆଜି ସାରା ପଶ୍ଚିମ ଓଡିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି । କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆହୁତ ଏହି ମହାବନ୍ଦ ସକାଳ ୬ ଟାରୁ ସଂନ୍ଧ୍ୟା ୬ଟାପର୍ଯ୍ୟନ୍ତ ୧୨ଘଣ୍ଟିଆ ପାଳନ କରାଯାଇଥିବା ବେଳେ ସାରା ସୁବର୍ଣ୍ଣପୁର ଜିଲ୍ଲାରେ ଏହି ବନ୍ଦକୁ ଅଭୂତପୂର୍ବ ଜନ ସମର୍ଥନ ମିଳିଛି । ଯଦିଓ କୋଶଳ ସେନା ଓ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ପାଳନ ଡାକରା ଦିଆଯାଇଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ।ସକାଳୁ ସକାଳୁ ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ସହରର ମୁଖ୍ୟ ବ୍ଲକଛକ ଓ ସହରର ପ୍ରମୁଖ ପ୍ରବେଶ ପଥ ଓ ବିଭିନ୍ନ ଛକ ଗୁଡିକରେ ରାସ୍ତା ଅବରୋଧ କରି ବନ୍ଦ କରିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡିମୋଟର ଅଟକି ରହିଥିବା ଦେଖାଯାଇଛି । ସହରର ସବୁ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ଥିବା ବେଳେ ସ୍କୁଲ, କଲେଜ, ସବୁ ସରକାରୀ, ବେସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ ରହିଥିଲା । ତେବେ ଏହି ବନ୍ଦରୁ ଜରୁରୀ ସେବାକୁ ବାଦ୍‌ ଦିଆଯାଇଛି । ପଶ୍ଚିମ ଓଡିଶାବାସୀ ସବୁ କ୍ଷେତ୍ରରେ ଅବହେଳିତ ରହିଥିବା ବେଳେ ରାଜନୈତକ, ଅର୍ଥନୈତିକ,ସାମ୍ବିଧାନିକ ତଥା ବେକାରୀ ସମସ୍ୟା ଆଦିକୁ ସବୁ କ୍ଷେତ୍ରରେ ରାଜ୍ୟ ସରକାର ଅଣଦେଖା କରୁଥିବା ଯୋଗୁଁ ଏଭଳି ବନ୍ଦ କରାଯାଇଛି ବୋଲି ବିକ୍ଷୋଭକାରୀମାନେ ପ୍ରକାଶ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଶ୍ଚିମ ଓଡିଶାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ପ୍ରତି ଧ୍ୟାନ ଦେବା ପାଇଁ ଦାବି କରିବା ସହ ଅତିଶୀଘ୍ର କୋଶଳାଞ୍ଚଳକୁ ସ୍ୱତନ୍ତ୍ର ରାଜ୍ୟ ଘୋଷଣା କରିବା ସହ ସ୍ୱତନ୍ତ୍ର ରାଜ୍ୟ ଗଠନର ସମର୍ଥନରେ ବିଭିନ୍ନ ନାରା ଦେଇଛନ୍ତି । ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଆଜିର ଏହି ମହାବନ୍ଦ ଜିଲ୍ଲାର ସମସ୍ତ ୬ଟି ବ୍ଲକରେ ପାଳନ ହୋଇଥିବା ବେଳେ ବନ୍ଦ ସଂପୂର୍ଣ୍ଣ ଶାନ୍ତି ପୂର୍ଣ୍ଣ ଥାଇ କୌଣସି ଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା । ଆଜିର ଏହି ମହାବନ୍ଦ ରେ ନିତିନ ପ୍ରଧାନ, ପିଣ୍ଟୁ ନାଏକ,ତାପସ ବେଉରା ପ୍ରଦ୍ୟୁମ୍ନ ପାଢ଼ୀ, ବୈକୁଣ୍ଠ ଶତପଥୀ, ଜିତୁବାରିକ, ପ୍ରଶାନ୍ତ ବାଦୀ, ରୁତୁରାଜ ପ୍ରଧାନ, ରାମାନନ୍ଦ ପ୍ରଧାନଙ୍କ ସହ ବିଭିନ୍ନ ରାଜନୈତିକ ଦଳରୁ ସୁବର୍ଣ୍ଣପୁର ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ଜିଲ୍ଲା ଲିଗାଲସେଲର ମୁଖ୍ୟ ସୁଧିର କୁମାର ପଣ୍ଡା ପ୍ରମୁଖ ଏହି ଧର୍ମଘଟ ଓ ବିକ୍ଷୋଭ ସମାବେଶରେ ସକ୍ରିୟ ନେତୃତ୍ୱ ନେଇଥିଲେ ।

Comments (0)
Add Comment