ସୁବର୍ଣ୍ଣପୁର : ସବ୍-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ୍ କ୍ୟାମ୍ପସରେ ପଡିଛି କାଠ ଟେବୁଲ ଓ ତା’ ଉପରେ ଥୁଆ ହୋଇଛି ଦେଶୀ ଓ ବିଦେଶୀ ବ୍ରାଣ୍ଡର ବିଭିନ୍ନ ମଦ ବୋତଲ । ଆଜି ଏପରି ଚିତ୍ର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦରରୁ । ମଦ ବୋତଲ ଓ ସିଗାରେଟ୍ ଖୋଳକୁ ଦେଖିଲେ ଲାଗୁଛି ଏଠି ମଦୁଆଙ୍କ ଆସର ଜମିବା ଘଟଣା ମୋଟେ ଅପ୍ରତ୍ୟାଶିତ ନୁହେଁ ବରଂ ସମସ୍ତ ସରକାରୀ ବାବୁମାନଙ୍କ ଜାଣତରେହିଁ ଏହା ଚାଲିଛି ।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସବ୍-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ ଗୋଟିଏ କ୍ୟାମ୍ପସରେ ରହିଛି । ଆଜି ସକାଳେ ଅଫିସ୍ ପରିସରରେ ଦେଖିବାକୁ ମିଳିଥିଲା ଏଇ ଅଜବ ଦୃଶ୍ୟ । ଅଫିସର ମୁଖ୍ୟ ଫାଟକ ସମ୍ମୁଖରେ ପଡିଥିଲା କାଠ ଟେବୁଲ ଓ ପ୍ଲାଷ୍ଟିକ୍ ଚେୟାର । ଆଉ ଟେବୁଲ ଉପରେ ଥୁଆ ହୋଇଥିଲା ଦେଶୀ ଓ ବିଦେଶୀ ମଦ ବୋତଲ । ଟେବୁଲ୍ ତଳେ ପଡିଥିଲା ଖାଲି ସିଗାରେଟ ଖୋଳ ଓ ଅନ୍ୟ ପାଉଚ । ଏଥିରୁ ଜଣାପଡୁଛି, ରାତିରେ ଏଠାରେ ମଦର ଆସର ଜମିଥିଲା !
ସବୁଠାରୁ ମଜାଦାର କଥା ହେଉଛି ସବ୍-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସର ପ୍ରବେଶ ପଥ ଗୋଟିଏ । ଦୁଇ ଅଫିସର ଦୁଇ ଜଣ କର୍ମଚାରୀଙ୍କ ପାଖରେ ରହୁଛି ଗେଟ୍ର ଚାବି । ଏହାର ଅର୍ଥ ଶନିବାର ସେମାନେ ଅଫିସ୍ ଛାଡିବା ପୂର୍ବରୁ ତାଲା ନିଶ୍ଚିତ ପକାଇଥିବେ । ଏହା ସତ୍ତେ୍ୱ ଅଫିସ୍ କ୍ୟାମ୍ପସ ଭିତରେ କେମିତି ଜମିଲା ମଦର ଆସର? ଅଫିସ୍ ଫାଟକ ତାଲା ଖୋଲିଲା କିଏ? ଅନ୍ୟକେହି କେମିତି ଅଫିସ୍ କ୍ୟାମ୍ପସ ଭିତରେ ପଶି ମଦ ପିଇଲେ? ଏଥିରେ ଅଫିସର କୌଣସି କର୍ମଚାରୀଙ୍କ ସଂପୃକ୍ତି ନାହିଁ ତ? ଖୋଦ୍ ଅଫିସ୍ କର୍ମଚାରୀ ମଦର ଆସର ଜମାଇ ନଥିବେ ବା କାହିଁକି ଏପରି ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି ଲୋକଙ୍କ ମନରେ । ହେଲେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଫୋନକଲେ ମଧ୍ୟ ସେ ଫୋନ ଉଠାଉନଥିବା କାରଣରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।