୧୦ ପୁରୁଷ ଓ ୧୦ ମହିଳା ଦାଦନ ଶ୍ରମିକ ସହ ୭ ଶିଶୁ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ସହ ସହଯୋଗୀ ଗିରଫ

ପାଟଣାଗଡ : ବଗଲାବନ୍ଦ ଗାଁର ଜନୈକ ଦାଦନ ସର୍ଦ୍ଦାର ବାହ୍ୟ ଜିଲ୍ଲାରୁ ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ପାଇଁ ୨୭ ଜଣ ଦାଦନ ଶ୍ରମିକକୁ ଆଣି ନିଜ ପାଖରେ ରଖିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ପୁଲିସ ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଉକ୍ତ ସ୍ଥାନରେ ଅର୍ତକିତ ଭାବେ ଚଢ଼ଉ କରି ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏଥି ସହ ଦାଦନ ଶ୍ରମିକ ଚାଲଣାରେ ସଂପୃକ୍ତ ଥିବା ଦାଦନ ସର୍ଦ୍ଦାର ମହନ ମେହେର ଓ ତାଙ୍କ ସହଯୋଗୀ ଥବିର ରାଜହଂସ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବଗଲା ବନ୍ଦର ଦାଦନ ସର୍ଦ୍ଦାର ୨ ଦିନ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ଦେହେରିପାଲି ,ସୋନପୁର ଜିଲ୍ଲା ଡୁଙ୍ଗୁରପାଲି ଓ ବଲାଙ୍ଗିର ଜିଲ୍ଲା ଆଗଳପୁର ସାଲେଭଟା ଅଞ୍ଚଳର ଦାଦନ ଶ୍ରମିକ ମାନଙ୍କୁ ଆଣି ନିଜ କ୍ଷେତରେ ଥିବା ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଏକତ୍ରିତ କରୁଥିଲା । ପାଟଣାଗଡ ପୁଲିସ ବିଶ୍ୱସ୍ତ ସୂତ୍ର ଖବର ପାଇ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ । ଘଟଣା ସ୍ଥଳରୁ ବାହ୍ୟ ରାଜ୍ୟକୁ ଦାଦନ ଚାଲାଣ ହେବାକୁ ଥିବା ୧୦ ଜଣ ପୁରୁଷ ଓ ୧୦ ଜଣ ମହିଳା ଶ୍ରମିକ ସମେତ ୭ ଜଣ ଶିଶୁ ଶ୍ରମିକ ସ଼ହ ଦାଦନ ସର୍ଦ୍ଦାର ମହନ ଓ ସହଯୋଗୀ ଥବିର ପାଟଣାଗଡ଼ ଥାନା ଆଣିଥିଲେ । ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ କୌଣସି କାଗଜ ପତ୍ର ସର୍ଦ୍ଦାର ଜଣକ ଦେଖାଇପାରି ନଥିଲେ । ଏହାପରେ ପୁଲିସ ପାଟଣାଗଡ଼ ଉପଖଣ୍ଡ ଅତିରିକ୍ତ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁଙ୍କୁ ଥାନାଙ୍କୁ ଡାକିଥିଲେ । ଶ୍ରମ ଅଧିକାରୀ ଶ୍ରୀ ଭୂୟା ତଦନ୍ତ ପରେ ସର୍ଦ୍ଦାର ବେଆଇନ ଭାବେ ଶ୍ରମିକ ଚାଳାଣ କରିଥିବା ଜାଣିବାକୁ ପାଇଥିଲେ । ଯାହାଫଳରେ ସର୍ଦ୍ଦାର ଓ ସହଯୋଗୀକୁ କୋର୍ଟ ଚାଲାଣ କରିବା ସହ ଉଦ୍ଧାର ଶ୍ରମିକମାନଙ୍କୁ ଏକ ବସ ଯୋଗ ନିଜ ନିଜ ଗାଁକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

Comments (0)
Add Comment