ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ, ଥାନାରେ ଏତଲା

ବାଲିଗୁଡ଼ା: ଦିନ ଦ୍ୱିପହରରେ ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ । ପେଟ୍ରୋଲ ପମ୍ପ୍‌ ମାଲିକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପ୍ରକାରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତକାଲି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜଲେଶପଟ୍ଟା ମା ବରାଳ ଦେବୀ ଇଣ୍ଡିଆନ୍‌ ପେଟ୍ରୋଲ୍‌ ପମ୍ପର ମ୍ୟାନେଜର ଦେବାଶିଷ ନନ୍ଦ ଏକୁଟିଆ ମୋଟରସାଇକେଲ୍‌ ଯୋଗେ ପାଞ୍ଚ ଲକ୍ଷ ଟଙ୍କା ନେଇ ତୁମୁଡ଼ିବନ୍ଧ ଷ୍ଟେଟ୍‌ ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ବେଳେ ତୁମୁଡ଼ିବନ୍ଧ ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜ୍‌ ନିକଟରେ ତିନିଜଣ ଦୁର୍ବୃତ୍ତ ଏକ ପଲସର ମୋଟରସାଇକେଲରେ ଆସି ପଛପଟୁ ଦେବାଶିଷଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା । ଦେବାଶିଷ ତଳେ ପଡ଼ିଯିବାପରେ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇଯାଇଥିବା କହିଛନ୍ତି ଦେବାଶିଷ । ସେପଟେ ମ୍ୟାନେଜର ଦେବାଶିଷଙ୍କଠାରୁ ଖବରପାଇ ପେଟ୍ରୋଲ ପମ୍ପ୍‌ ମାଲିକ ପ୍ରଶାନ୍ତ କୁମାର ସ୍ୱାଇଁ ଜଲେଶପଟ୍ଟା ପେଟ୍ରୋଲ୍‌ ପମ୍ପରେ ପହଁଚି କର୍ମଚାରୀଙ୍କ ଠାରୁ ସମସ୍ତ ବିଷୟ ବୁଝିବା ପରେ ତୁମୁଡ଼ିବନ୍ଧ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସମ୍ପୃକ୍ତ ମ୍ୟାନେଜର ମାଲିକଙ୍କୁ ନଜଣାଇ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା କହିଛନ୍ତି ପେଟ୍ରୋଲ ପମ୍ପ୍‌ ମାଲିକ ପ୍ରଶାନ୍ତ । ସେପଟେ ଅଭିଯୋଗ ପ୍ରକାରେ ତୁମୁଡ଼ିବନ୍ଧ ଥାନା କେସ୍‌ ନଂ ୯୦/୨୦୨୨ ରେ ମାମଲା ରୁଜୁ କରି ମ୍ୟାନେଜର ଦେବାଶିଷ ନନ୍ଦଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରିବା ସହ ପୋଲିସ୍‌ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଥାନା ଅଧିକାରୀ ଜୟନ୍ତ ସେଠୀ ।

Comments (0)
Add Comment