ସିଙ୍ଗଝର ବୁଢ଼ାରଜା ଷ୍ଟାଡିୟମ୍‌ ପାଇଁ ଜମି ଦାନ କଲେ ଗଉଁନ୍ତିଆ ପରିବାର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ସିଙ୍ଗଝର ଠାରେ ବୁଢ଼ାରଜା ଷ୍ଟାଡିୟମ ନିର୍ମାଣ ପାଇଁ ଜମି ଦାନ କରି ଇତିହାସ ରଚିଲେ ସିଙ୍ଗଝର ଗ୍ରାମର ଗୌନ୍ତିଆ ପରିବାର । ଏଭଳି ମହତ କାର୍ଯ୍ୟ ପାଇଁ ସିଙ୍ଗଝର ତଥା ସିନାପାଲି ଅଞ୍ଚଳର ଜନସାଧାରଣ କୃତଜ୍ଞତା ଜଣାଇବା ସହ ସାରା ପରିବାରକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ସିଙ୍ଗଝର ଏକ ସର୍ବପୁରାତନ ଐତିହାସିକ ଗ୍ରାମ । ଏଠାରେ କ୍ରୀଡ଼ାର ମହାକୁମ୍ଭ ଆୟୋଜିତ ହୋଇ ସାରା ନୂଆପଡ଼ା ଜିଲ୍ଲା ତଥା ସୀମାନ୍ତ ଛତିଶଗଡ଼ରେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରିଛି । ଏଠାରେ ଆବଶ୍ୟକ ସରକାରୀ ଜାଗା ନ ଥିବାରୁ ବିଭିନ୍ନ ସମୟରେ ବ୍ୟକ୍ତିଗତ ଜାଗାରେ କ୍ରୀଡା ମହାକୁମ୍ଭ ଆୟୋଜିତ ହେଉଥିଲା । ଏହି ପ୍ରତିଯୋଗୀତାରେ ଅନେକ ପ୍ରଶାସନିକ ଅଧିକାରୀ ତଥା ରାଜନେତା, ମନ୍ତ୍ରୀ ପରିଷଦ ଆସି ଷ୍ଟାଡିୟମ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆବଶ୍ୟକ ଜାଗା ନ ଥିବାରୁ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରତିବନ୍ଧକ ଦେଖାଦେଇଥିଲା । ପରିଶେଷରେ ସିଙ୍ଗଝର ଗ୍ରାମର ଗୌନ୍ତିଆ ସ୍ୱର୍ଗତ ନୀଳାମ୍ବର ମାଝିଙ୍କ ନାମରେ ଥିବା ଜମିକୁ ତାଙ୍କ ଧର୍ମପତ୍ନୀ ଓ ସପରିବାର ସରକାରଙ୍କୁ ଦାନ ସୂତ୍ରରେ ପ୍ରଦାନ କରିବା ପାଇଁ ଚିନ୍ତା କରିଥିଲେ । ସିଙ୍ଗଝର ଗ୍ରାମ ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା କୋଟାମାଳ ଯିବା ରାସ୍ତା ଉପରେ ଥିବା ୪ ଏକର ୬ ଡିସିମିଲ ଜାଗାକୁ ଦାନ ସୂତ୍ରରେ ପ୍ରଦାନ କରିଛନ୍ତି । ଖଡିଆଳ ସ୍ଥିତ ସବ୍‌ ରେଜିଷ୍ଟ୍ରି ଅଫିସରେ ପରିବାର ସଦସ୍ୟ ଉପସ୍ଥିତ ରହି ସରକାରଙ୍କୁ କ୍ରୀଡାର ବିକାଶ ଓ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଦାନ କରିଥିବା ନେଇ ପରିବାର ସଦସ୍ୟ ପ୍ରକାଶ କରିଛନ୍ତି । ଏହି ଜମି ଦାନ ସମୟରେ ସ୍ୱର୍ଗତ ନୀଳାମ୍ବର ମାଝିଙ୍କ ଧର୍ମପତ୍ନୀ ସାବିତ୍ରୀ ମାଝି, ବଡ଼ ପୁଅ ଚୂଡ଼ାମଣି ମାଝି, ଗାୟତ୍ରୀ ଦଳପତି, ଟିକି ଦେଈ ମାଝି, ଧରଣୀଧର ମାଝି, ଗୌରୀ ଶଙ୍କର ମାଝି, କେଦାରନାଥ ମାଝି, ଦ୍ରୌପଦି ମଝୀ, ପ୍ରବୀଣ ଚନ୍ଦ୍ର ମାଝି, ଦମୟନ୍ତୀ ଛତ୍ରିଆ, ସ୍ୱର୍ଗତ ମାଝି ଙ୍କ ବଡ ଝିଅ ସ୍ୱର୍ଗତ ବସନ୍ତ ମଞ୍ଜରି ମାଝିଙ୍କ ସ୍ୱାମୀ ଅନନ୍ତରାମ ମାଝି, ପୁଅ ଚନ୍ଦନ ମାଝି, ଚିନ୍ମୟ ମାଝି ଝିଅ ପଲ୍ଲବୀ ମାଝି ଓ ତନୁଶ୍ରୀ ମାଝିଙ୍କ ସମେତ ତାଙ୍କ ପରିବାର ଉପସ୍ଥିତ ରହିଥିଲେ । ଏହି ମହତ କାର୍ଯ୍ୟ ପାଇଁ ସିଙ୍ଗଝର ପଞ୍ଚାୟତ ର ଜନସାଧାରଣ , ସିଙ୍ଗଝର ସ୍ପୋର୍ଟିଙ୍ଗ ଆସୋସିଏସନ୍‌ ଓ ଜୟଶ୍ରୀ ବିଣାପାଣି ଯୁବକ ସଂଘର ଦୀର୍ଘ ବର୍ଷର ପ୍ରୟାସ ପରେ ଆଜି ସଫଳତା ମିଳିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏପରିକି ଏହି କାମ ପାଇଁ ଗୌନ୍ତିଆ ପରିବାର ସଦସ୍ୟ ମାନଙ୍କୁ ଭବ୍ୟ ସମାରୋହ ମାଧ୍ୟମରେ ସମ୍ବର୍ଦ୍ଧନା ଜ୍ଞାପନ କରଯିବ ବୋଲି ଜଣାପଡ଼ିଛି ।

Comments (0)
Add Comment