ଲଗାଣ ବର୍ଷା ଯୋଗୁଁ କୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ ,ଲୋକଙ୍କୁ ସତର୍କ କରାଇଲା ପ୍ରଶାସନ

ଚମ୍ପୁଆ : ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର ନର୍ମାଣ କାର୍ଯ୍ୟ ଜୁଲାଇ ଶେଷ ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ କପର୍ ଡ୍ୟାମ୍ ( ମାଟିରେ ନିର୍ମିତ ଅସ୍ଥାୟୀ ବନ୍ଧ) କରାଯାଇ ବନ୍ୟାଜଳକୁ ଅଟକାଇ ଦୁଇଟି ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ ଏବଂ ୫ଟି ରେଡିୟଲ୍ ଗେଟ୍ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ମାତ୍ର ଲଗାଣ ବର୍ଷା ଯୋଗୁଁ କପର୍ ଡ୍ୟାମ୍ ଭାଙ୍ଗିବା ଆଶଙ୍କା ସୃଷ୍ଟି ହୋଇଛି । ପ୍ରକଳ୍ପ ଅଞ୍ଚଳ ସମ୍ପୂର୍ଣ ଜଳ ମଗ୍ନ ହେବା ସହ ଏବେ ଡ୍ୟାମ୍ ରେ ୪୨୮.୨ ଆର ଏଲ୍ ବନ୍ୟାଜଳ ରହିଛି । ଏବେ ପ୍ରତି ଘଣ୍ଟାରେ ଡ୍ୟାମ ଭିତରକୁ ୨୦୦ ଘନ ମିଟର ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ମାତ୍ର ୩୫ ଘନ ମିଟର ବନ୍ୟାଜଳ କେନାଲ୍ ଦେଇ ନିଷ୍କାସିତ ହେଉଛି । ଏମିତିରେ ବିପଦ ଘନେଇବାରେ ଲାଗିଛି । କପର ଡ୍ୟାମର କେତେକ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ଯେ କୌଣସି ମୂହୁର୍ତ୍ତରେ ଭାଙ୍ଗିବାର ଆଶଙ୍କା ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦେଖି ବଳକା ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି । ଏଭଳି ପରିସ୍ଥିତିରେ ବୈତରଣୀର ତଳମୁଣ୍ଡରେ ବନ୍ୟା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରକଳ୍ପର ଚିଫ୍ କଂଷ୍ଟ୍ରକ୍ସନ୍ ଇଞ୍ଜିନିୟରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବା ସହ ଝାଡ଼ଖଣ୍ଡ ପ୍ରଶାସନକୁ ମଧ୍ୟ ସୂଚନା ଦିଆଯାଇଛି । ଖବର ପାଇ ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା ପ୍ରକଳ୍ପ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ତାଳମୁଣ୍ଡ ନଦୀ ପାଖାପାଖି ଥିବା ଗ୍ରାମର ଲୋକ ମାନଙ୍କୁ ସତର୍କ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାଇକ୍ ମାଧ୍ୟମରେ ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରିବା ଆରମ୍ଭ ହୋଇଛି । ଡ୍ୟାମ୍ ନିକଟରେ ଘନ ଘନ ବିପଦ ସୂଚକ ସାଇରନ ମଧ୍ୟ ବାଜୁଥିବାବେଳେ ପୋଲିସ୍ ପ୍ରଶାସନକୁ ମଧ୍ୟ ଆଲର୍ଟ ରେ ରଖାଯାଇଛି ।

Comments (0)
Add Comment