ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ

ଭୁବନେଶ୍ବର: ଧାନ ସଂଗ୍ରହରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ୱନ ଏବଂ କୌଣସି ପରିସ୍ଥିତିରେ ଚାଷୀଙ୍କ ହକ୍‌ ଉପରେ ଆଞ୍ଚ୍ ନ ଆଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗୀୟ ଅଧିକାରୀମାନଙ୍କୁ ଚେତାଇ ଦେଇଛନ୍ତି। ସେହିପରି ମିଲର୍‌ମାନେ ଯେପରି ଚାଷୀଙ୍କଠାରୁ ଠିକ୍ ଭାବରେ ଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ଯେପରି ଠିକ୍ ସମୟରେ ତାଙ୍କ ପ୍ରାପ୍ୟ ପାଇବେ ସେଥିପ୍ରତି ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ଧାନ କିଣା ପ୍ରକ୍ରିୟାର ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ବୈଠକରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଉପସ୍ଥିତ ଥିଲେ। ବୈଠକରୁ ହସ୍ତଗତ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧,୧୧,୧୨୮ଜଣ କୃଷକ ତାଙ୍କର ୪,୯୭,୫୯୪ ମେଟ୍ରିକ୍ ଟନ୍ ଧାନ ବିକ୍ରୟ କରିଛନ୍ତି।

ଏଥିପାଇଁ ପ୍ରାୟ ୧୦୫୬.୦୮ କୋଟି ଟଙ୍କାର ଚାଷୀଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟର ୧୨ଟି ଜିଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲୁ ରହିଛି ଏବଂ ୧୭ଟି ଜିଲାରେ ଟୋକନ ପ୍ରଦାନ କରାଯାଇଛି। ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ ୫ଟି ଜିଲାରେ ଧାନ କିଣା ଆରମ୍ଭ ହେବ। ଆସନ୍ତା ଜାନୁଆରୀ ୧୦ ମଧ୍ୟରେ ସବୁ ଜିଲାରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ବୈଠକରେ ଅଣଧାନ ଫସଲ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ମାଣ୍ଡିଆ, ଡାଲି ଜାତୀୟ ଫସଲ ଓ ତୈଳବୀଜ ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା।

Comments (0)
Add Comment