ଟିମ ପ୍ଲାଣ୍ଟ ଆମ୍ବୁଲାନ୍ସ ଦ୍ୱାରା ବର୍ଷ ପୂର୍ତ୍ତି ପାଳନ

ସମ୍ବଲପୁର : ବର୍ଷା ଋତୁର ଆଗମନ ସଙ୍ଗେ ସଙ୍ଗେ ସମସ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମାତିଯାଆନ୍ତି, କିନ୍ତୁ ଆଗରୁ ଲଗାଯାଇଥିବା ଗଛଗୁଡ଼ିକମଧ୍ୟରୁ କେତେ ବଞ୍ଚିଛି ଓ କେତେ ମରିଛି ସେକଥା କେହି ବିଚାର କରନ୍ତି ନାହିଁ । ସମ୍ବଲପୁରରେ କିନ୍ତୁ ଏକ ସ୍ୱେଚ୍ଛାସେବୀ ଯୁବ ସଂଗଠନ ଏହି ଦିଗପ୍ରତି ଦୃଷ୍ଟି ରଖେ ଓ ଏଇଥି ପାଇଁ ତାଙ୍କର ଏକ ଭିନ୍ନ ପରିଚୟ ଓ ଚିନ୍ତାଧାରା ରହିଛି । ଏଠାରେ ମହାନଦୀ ତଟରେ ନିର୍ମିତ ରିଙ୍ଗ ରୋଡ ମଧ୍ୟ ସ୍ଥିତ ବିସ୍ତିର୍ଣ୍ଣ ଡିଭାଇଡରରେ ଆଜିକୁ ଅନେକ ବର୍ଷ ହେଲା ନିୟମିତ ଭାବେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ଓ ଏଥିରେ ଜିଲ୍ଲା ପ୍ରଶାସନ ସହିତ ଅନେକ ଘରୋଇ ଅନୁଷ୍ଠାନ ସାମିଲ ରହନ୍ତି । ଥରେ ମହା ସମାରୋହ ସହକାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶେଷ ହୋଇଗଲେ ସେଥିମଧ୍ୟରୁ କେତେ ଗଛ ବଞ୍ଚିଛି, ସେଥିପ୍ରତି ପ୍ରାୟ କେହି ଚିନ୍ତା କରନ୍ତି ନାହିଁ । ଏବିଷୟରେ ଅନେକ ବିଚାର ବିମର୍ଶ ପରେ କିଛି ଯୁବସେବୀ ଉକ୍ତ ଉପେକ୍ଷିତ ଗଛ ଗୁଡ଼ିକର ସମୁଚିତ ଯତ୍ନ ନେବାପାଇଁ ନିଷ୍ପତ୍ତି ନେଲେ ଓ ସେମାନେ ଟିମ୍‌ ପ୍ଲାଣ୍ଟ ଆମ୍ବୁଲାନ୍ସ ନାମରେ ପରିଚୟ ପାଇଲେ । ସେମାନଙ୍କ ଏହି କାର୍ଯ୍ୟକ୍ରମ ବର୍ଷ ତମାମ ଜାରି ରହେ ଓ ସେଠାରେ ଲଗାଯାଇଥିବା ଗଛଗୁଡ଼ିକର ଯତ୍ନ ନେବାରେ ଲାଗିପଡିଥିଲେ । ସେମାନଙ୍କ ଏହି ନିରନ୍ତର ପ୍ରଚେଷ୍ଟା ବଳରେ ଅନେକ ଗଛ ବଞ୍ଚି ରହିଛନ୍ତି । ଆଜି ସେମାନେ ସମସ୍ତେ ସେଠାରେ ଏକତ୍ରିତ ହୋଇ ନିଜ କାର୍ଯ୍ୟକ୍ରମର ସମୀକ୍ଷା ସହିତ ଆଗାମୀ ଦିନରେ ଏଥିପାଇଁ ଆଉ କ’ଣ କରାଯାଇପାରିବ ସେ ବିଷୟରେ ବିଚାର କରିଥିଲେ ।

Comments (0)
Add Comment