ନକଲି ଲେବର କାର୍ଡ଼ ରାକେଟ୍‌ ସକ୍ରିୟ

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଗରିବ ନୀରିହ ଜନସାଧାରଣଙ୍କୁ ଲେବର୍‌ କାର୍ଡ଼ କରାଇଦେବା ସହିତ ସରକାରଙ୍କର ବିଭିନ୍ନ ସୁବିଧା ଯୋଗାଇ ଦେବାକୁ କହି ଜନସାଧାରଣଙ୍କ ଲୁଟୁଛନ୍ତି ନକଲି ଲେବର କାର୍ଡ଼ ଲୁଟେରା । ଏପରି ଏକ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ନୟାଗଡ଼ ପୋଲିସ । ନକଲି ଲେବର୍‌ କାର୍ଡ କାରବାର ଅଭିଯୋଗରେ ନୟାଗଡ଼ ସଦର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ସଦରଥାନା ଅଧୀନ ଏକତାଳ ଗ୍ରାମର ଦଣ୍ଡୁ ନାୟକଙ୍କ ପୁଅ ନାଦ ନାୟକ (୫୦) , ନୂଆଗାଁ ଥାନା ଅଧୀନ ନୂଆଗାଁ ଉଠାଣିସାହିର ମହେଶ୍ୱର ମହାନ୍ତିଙ୍କ ପୁଅ ସନ୍ତୋଷ କୁମାର ମହାନ୍ତି ଓରଫ୍‌ କାବୁଲି (୪୩) । ଖବର ଅନୁଯାୟୀ ନକଲି ଲେବର କାର୍ଡ ପାଇ ଠକେଇର ଶିକାର ହୋଇଥିବା ଶ୍ରମିକଙ୍କ ଅଭିଯୋଗ ଆଧାରରେ ୨୦୨୧ ଏପ୍ରିଲରେ ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ପରେ ଉଭୟଙ୍କୁ ନୂଆଗାଁରୁ ଆଜି ଗିରଫ କରାଯାଇଥିବା ସଦର ଥାନା ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ କହିଛନ୍ତି । ନୂଆଗାଁ ବ୍ଲକ୍‌ ଅଫିସ୍‌ ନିକଟରେ ଏହି ଦୁଇ ବ୍ୟକ୍ତି ଏକ ଶ୍ରମିକ ସଂଗଠନ କାର୍ଯ୍ୟାଳୟ ଖୋଲି ଶ୍ରମିକଙ୍କୁ ନାନା କାର୍ଡ ଓ ସୁବିଧା ଯୋଗାଇ ଦେବା ଆଳରେ ଶୋଷଣ କରୁଥିଲେ ।

Comments (0)
Add Comment