ଫୁଲବାଣୀ :-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଚୋରି ହେବା, ତାଲା ଭାଙ୍ଗି ଲୁଟ କରିବା ଏସବୁ ନିତି ଦିନିଆ କଥା ହୋଇଗଲାଣି । କେତେବେଳେ ଏସବିଆଇ ସମ୍ମୁଖରୁ ତ କେତେବେଳେ ଥାନା ନିକଟସ୍ଥ ଦୋକାନ ମାନଙ୍କରୁ ଚୋରି ହେଉଛି । ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ହୋଇଥିବା ଚୋରିର ଚୋର ଧରା ପଡିନଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ସମାଜସେବୀ ଓ ବୁଦ୍ଧିଜୀବୀ । ଅନ୍ୟ ପଟରେ ଚୋରି ଡକାୟତି ନହେବା ପାଇଁ ସମଗ୍ର ଫୁଲବାଣୀ ସହରକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସିସି କ୍ୟାମେରା ଦ୍ୱାରା ଘୋଡେଇ ରଖାଯାଇଛି । ହେଲେ ସିସି କ୍ୟାମେରାରେ ଚୋରି ହେଉଥିବାର ଛବି ଦେଖା ଯାଉଥିଲେ ମଧ୍ୟ ପୋଲିସ ଚୋର ଧରିବାରେ ଅସଫଳ ହେଉଛି । ଆଜି ମଧ୍ୟ ସେହିପରି ଦିନ ଦ୍ୱିପ୍ରହରରେ ଦେଢ଼ ଲକ୍ଷ ଟଙ୍କା ଟାଉନ ଥାନା ନିକଟରୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସ୍ଥାନୀୟ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରକୁ ଆସି ବାଇକ୍ ଡିକିରେ ରଖି କଥା ହେଉଥିଲେ । ହେଲେ ସେଠାରେ ପୂର୍ବରୁ ଦୁଇଟା ବାଇକରେ ୪ଜଣ ଲୁଟେରା ଅପେକ୍ଷା କରିଥିଲେ । ଆଉ ଆଖି ପିଛୁଳାକେ ଡିକି ଖୋଲି ବ୍ୟାଗ ସହ ଟଙ୍କା ନେଇ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ ।
ଏ ନେଇ ଟାଉନ ଥାନାରେ ସମ୍ପୃକ୍ତ ବ୍ୟକ୍ତି ଏତଲା ଦେବାକୁ ଯାଇଥିଲେ ମଧ୍ୟ ଥାନାରେ କୌଣସି ପୋଲିସ ଅଧିକାରୀ ନଥିଲେ । ଫଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗତ ବର୍ଷକ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଘରେ ପଶି ଗ୍ରୀଲ ଭାଙ୍ଗି ୫ରୁ ୭ଟି ଲୁଟ୍ ଘଟଣା ଘଟିଥିଲେ ମଧ୍ୟ ଟାଉନ ପୋଲିସକୁ କୌଣସି ସଫଳତା ମିଳିନଥିବା ଅଭିଯୋଗ ହୋଇଛି ।