ଜବରଦଖଲ ଉଚ୍ଛେଦ କଲା ନନ୍ଦାହାଣ୍ଡି ତହସିଲ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ପଞ୍ଚାୟତ ଅନ୍ତର୍ଗତ ଦଳେଇଗୁଡ଼ା ଗ୍ରାମର ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ପାଖରେ ଜବରଦଖଲରେ ଥିବା ୯୦ ସେଣ୍ଟ ସରକାରୀ ଜମିକୁ ରାଜସ୍ୱ ବିଭାଗ ତରଫରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଦୀର୍ଘ ଦିନ ଧରି ଏହି ଜମିକୁ ଦଳେଇଗୁଡ଼ା ଗ୍ରାମର ଡମ୍ବରୁ ଗଣ୍ଡ ପିତା ସଦା ଗଣ୍ଡ ଓ ସୋମନାଥ ହରିଜନ ପିତା ଟଙ୍କଧର ହରିଜନ ଦଖଲ କରି ରଖିଥିଲେ । ନନ୍ଦାହାଣ୍ଡି ତହସିଲଠାରେ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଥିଲେ । ଏ ବାବଦରେ ନନ୍ଦାହାଣ୍ଡି ତହସିଲ ପକ୍ଷରୁ ଡମ୍ବରୁ ଗଣ୍ଡ ଓ ସୋମନାଥ ହରିଜନଙ୍କୁ ନୋଟିସ୍‌ କରାଯାଇଥିଲେ ସୁଦ୍ଧା ସେମାନେ ଜମି ଛାଡିବାକୁ ନାରାଜ ଥିଲେ । ସେହି ସରକାରୀ ଜମିରେ ଉଭୟ ନୀଳଗିରି ଗଛରୋପଣ କରି ନିଜ ଦଖଲରେ ରଖିଥିଲେ । ଏ ବାବଦରେ ଦଳେଇଗୁଡ଼ା ଗ୍ରାମବାସୀ ଗତ ୧୭/୦୭ ରିଖ ଦିନ ନନ୍ଦାହାଣ୍ଡି ବ୍ଲକ ଠାରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଲିଖିତ ଅଭିଯୋଗ କରିଥିଲେ । ସେଠାରେ ଥିବା ବିଦ୍ୟାଳୟ ୧ ଏକର ୧୬ ସେଣ୍ଟରେ ଥିବାବେଳେ ବିଦ୍ୟାଳୟର ଜାଗା କମ ଥିବା ଯୋଗୁ ଏହି ଜମିକୁ ୫-ଟି ଦ୍ୱାରା ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ବା ବିଦ୍ୟାଳୟର ଖେଳ ପଡିଆ ପାଇଁ ବ୍ୟବହାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଜବରଦଖଲଙ୍କ ଠାରୁ ଜମି ଉଚ୍ଛେଦ ପରେ ଏହି ଜମିକୁ ଦଳେଇ ଗୁଡ଼ା ବିଦ୍ୟାଳୟ ନିମନ୍ତେ ହସ୍ତାନ୍ତର କରାଯିବ ଓ ନୀଳଗିରି ଗଛ ଗୁଡ଼ିକର ଆକଳନ କରାଯାଇ ଓପିଏଲ୍‌ଇ ଆକ୍ଟ ୧୯୭୨ର ଧାରା-୭ ଉପଧାରା ୧ ଏବଂ ଓପିଏଲ୍‌ଇ ନିୟମାବଳୀ ୧୯୮୫ ର ନିୟମ ଅନୁଯାୟୀ ନୀଳଗିରି ଗଛ ଗୁଡ଼ିକୁ କଟା ଯାଇ ଡିଭିଜିନାଲ ମ୍ୟାନେଜର ଓଡ଼ିଶା ଫରେଷ୍ଟ ଡେବଲପମେଣ୍ଟ କର୍ପୋରେସନ ଏଲଟିଡିଙ୍କ କାର୍ଯ୍ୟାଳୟରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାଖଲ କରାଯାଇଥିଲା । ଏହି ଉଚ୍ଛେଦ ସମୟରେ ନନ୍ଦାହାଣ୍ଡି ତହସିଲଦାର ବନମାଳୀ ମେହେର, ନନ୍ଦାହାଣ୍ଡି ରାଜସ୍ୱ ପରିଦର୍ଶକ ଏମଡି ଜାବେଦ, ଆରଆଇ ମୁନା ବେହେରା, ବନ ବିଭାଗ ପକ୍ଷରୁ ତେନ୍ତୁଳିଖୁଣ୍ଟି ଫରେଷ୍ଟର ଅମିତ୍‌ କୁମାର ଦାସ ଓ ବନରକ୍ଷୀ ଦଳ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଧ୍ୟାନରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶୁଭେନ୍ଦୁ ବେହେରା ଓ ପୋଲିସ ବାହିନୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment