ଶିଶୁ ସୁରକ୍ଷାର ଦାୟିତ୍ୱ ନେବେ ମହା ବିଦ୍ୟାଳୟର ସ୍ୱେଚ୍ଛାସେବୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞାର ସଫଳ ରୂପାୟନ ପାଇଁ ଏଣିକି ଜିଲ୍ଲାରେ ଥିବା ପ୍ରତି ମହା ବିଦ୍ୟାଳୟର ଏଏସ୍‌ଏସ, ୟୁଥ ରେଡ଼ କ୍ରସ ଏବଂ ସ୍କାଉଟ ଗାଇଡର ସ୍ୱେଚ୍ଛାସେବୀ ମାନେ ଦାୟିତ୍ୱ ନେବେ । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଏଥିପ୍ରତି ନିର୍ଦ୍ଦେଶ ପରେ ଜିଲ୍ଲାରେ ଥିବା ୧୩ ଗୋଟି ମହାବିଦ୍ୟାଳୟର ଏନ.ଏସ.ଏସ, ୟୁଥ ରେଡ଼କ୍ରସ ଏବଂ ସ୍କାଉଟ ଗାଇଡର ସ୍ୱେଚ୍ଛାସେବୀ ମାନଙ୍କୁ ଚିହ୍ନଟ କରାଯାଇ ଦୁଇଟି ଭାଗରେ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞାର ଉଦ୍ଦେଶ୍ୟ ଥିଲା ଯେ କିଶୋରୀ ବାଳିକାମାନଙ୍କୁ ନେଇ ଏକ ସଂଗଠନ ତିଆରି କରାଯିବ, ଯେଉଁଥିରେ ସେମାନେ ସେମାନଙ୍କ ସୁରକ୍ଷା ପାଇଁ ନେତୃତ୍ୱ ନେବେ । ଏହା ସହ ଜିଲ୍ଲାରେ ଶିଶୁମାନଙ୍କ ଉପରେ ଘଟୁଥିବା ନିର୍ଯାତନା ଏବଂ ଘଟୁଥିବା ଥିବା ଘଟଣା ଉପରେ ସୂଚନା ଦେବେ ଯାହାଦ୍ୱାରା କି ଜିଲ୍ଲାର ଶତ ପ୍ରତିଶତ ଶିଶୁ ପାଖରେ ଶିଶୁ ଅଧିକାର ଏବଂ ଶିଶୁ ସୁରକ୍ଷାର ବାର୍ତ୍ତା ସହଜରେ ପହଞ୍ଚାଯାଇପାରିବ । ଏହି କାର୍ଯ୍ୟକ୍ରମରେ ଆଜି ବାବା ସାହେବ ଆମ୍ବେଦକର କଲେଜ, ଖଜୁରିପଦା, ହିଲ ଟପ କଲେଜ,ମୋହନା, ହରଭଙ୍ଗା ମହାବିଦ୍ୟାଳୟ, ଅଡବା, ମହେନ୍ଦ୍ର ତନୟା ମହାବିଦ୍ୟାଳୟ, ଆର, ଉଦୟଗିରି, ଇନ୍ଦିରା ଗାନ୍ଧି ମେମୋରିଆଲ ମହାବିଦ୍ୟାଳୟ, ଚାନ୍ଦିପୁଟରେ ୧୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଶିଶୁ ସୁରକ୍ଷାର ସମସ୍ତ ଦିଗ ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷ ଆର ଉଦୟଗିରି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇଥିବା ପ୍ରାୟ ସ୍ୱେଚ୍ଛାସେବୀ ନାବାଳିକା ହୋଇଥିଲା ବେଳେ ନିଜର ସୁରକ୍ଷା ନିଜ ନେତୃତ୍ୱରେ ନିଆଯିବା କଥାକୁ ସମସ୍ତଙ୍କ ଦ୍ୱାରା ଆଗ୍ରହର ସହିତ ଗ୍ରହଣ କରାଯାଇ ଥିଲା । ଉପରୋକ୍ତ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଚାଲିଥିଲା ବେଳେ ଏଥିରେ ଭାରତୀ ମିଶ୍ର ଅଧ୍ୟକ୍ଷ ମହେନ୍ଦ୍ର ତନୟା ମହା ବିଦ୍ୟାଳୟ ଆର ଉଦୟଗିରି ସମସ୍ତ ବିଦ୍ୟାଳୟର ଏନଏସଏସ, ୟୁଥ ରେଡ଼କ୍ରସ ଏବଂ ସ୍କାଉଟ ଓ ଗାଇଡ଼ର ସଂଯୋଜକମାନେ ଯୋଗ ଦେଇ ସେମାନଙ୍କର ୟୁନିଟ ମାଧ୍ୟମରେ ଶିଶୁ ଅଧିକାର ଓ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁ ପାଖରେ କିପରି ପହଞ୍ଚିବ ତାହାରି ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଏଡ଼ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ଓ ୟୁଏନଏଫପିଏର ଜିଲ୍ଲା ସଂଯୋଜିକା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜୟ ପ୍ରକାଶ ବଡ଼ତ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments (0)
Add Comment