କଟକ: ସୋମବାର ସକାଳେ କଟକର ଦରଘା ବଜାର ଅଞ୍ଚଳର ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରକି ଟେଲର ଗଳିରେ ଥିବା ଅଶୋକ ବଜରିଆଙ୍କ ଘରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଜଣେ ୬ ବର୍ଷର ଶିଶୁ ପୁତ୍ରଙ୍କ ଜୀବନ ଚାଲିଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ଭୋର ପ୍ରାୟ ୪ଟା ସମୟରେ ଅଶୋକଙ୍କ ଘରେ ନିଆଁ ଲାଗିଥିଲା । ସେହି ସମୟରେ ଘର ଭିତରେ ପ୍ରାୟ ୮ ଜଣ ଲୋକ ଥିଲେ। ଚାହୁଁ ଚାହୁଁ ନିଆଁ ଘର ଭିତରକୁ ବ୍ୟାପିଥିଲା । ଖବର ପାଇ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ଘରଟି ମୁଖ୍ୟ ରାସ୍ତାରୁ ପ୍ରାୟ ୨୦୦ ମିଟର ଦୂରରେ ଏବଂ ଏକ ସଂକୀର୍ଣ୍ଣ ଗଳିରେ ଅବସ୍ଥିତ ଥିଲା, ଯାହା ଫଳରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିବା କଷ୍ଟକର ହୋଇପଡୁଥିଲା। ନିଆଁକୁ ଆୟତ୍ତ କରିବାକୁ ନାକେଦମ ହେବାକୁ ପଡ଼ିଥିଲା । ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଏବଂ ଅଗ୍ନି ନିର୍ବାପନ କାର୍ଯ୍ୟ ପରେ, ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଉପର ମହଲାରେ ପ୍ରାୟ ୫ ଜଣ ଶୋଇଥିଲେ । ୨ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିଲେ, ବାକି ୩ ଜଣ ଫସିଯାଇଥିଲେ । ଅଗ୍ନିଶମ ବାହିନୀ ପଡ଼ୋଶୀ ଘର ଭିତରେ ଯାଇ ଅଶୋକ ଘରର ଛାତରେ ଥିବା ଲୁହା ଗେଟ୍ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା । ଶେଷରେ ଚଢ଼ି ୩ ଜଣଙ୍କୁ ଉଦ୍ଧାର କରିଥିଲେ । ତେବେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଗୋଟିଏ ଶିଶୁର ମୃତ୍ୟୁ ହୋଇଛି । ବୃଦ୍ଧ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି।