ନୂଆଦିଲ୍ଲୀ: ଆଡିଲେଡରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇତିହାସ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ମ୍ୟାଚ୍ରେ ରୋହିତ ଅଷ୍ଟ୍ରେଲିଆରେ ଦିନିକିଆରେ ୧୦୦୦ ରନ୍ ପୂରଣ କରିଥିବା ପ୍ରଥମ କ୍ରିକେଟର ହୋଇଥିଲେ। ୩୮ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଏହି ସଫଳତା ପାଇଁ କେବଳ ଦୁଇ ରନ୍ ଆବଶ୍ୟକ ଥିଲା, ଯାହା ସେ ଇନିଂସର ତୃତୀୟ ଓଭରର ପଞ୍ଚମ ବଲ୍ରେ ମିଚେଲ ଷ୍ଟାର୍କଙ୍କ ବୋଲିଂରେ ଚୌକା ମାରି ହାସଲ କରିଥିଲେ। ଏହା ପରେ, ସେ ଅର୍ଦ୍ଧଶତକ ସହିତ ସୌରଭ ଗାଙ୍ଗୁଲିଙ୍କ ଏକ ରେକର୍ଡ ଭାଙ୍ଗି ଦେଇଥିଲେ।
ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପର୍ଥରେ ମାତ୍ର ୮ ରନ୍ କରିବା ପରେ ଶସ୍ତାରେ ପ୍ୟାଭିଲିୟନ ଫେରିଥିଲେ, କିନ୍ତୁ ଆଡିଲେଡ ଓଭାଲରେ, ହିଟମ୍ୟାନ୍ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ୯୭ ବଲ୍ରେ ୭୩ ରନ୍ କରିଥିଲେ ଏବଂ ମିଚେଲ ଷ୍ଟାର୍କ ତାଙ୍କ ୱିକେଟ୍ ନେଇଥିଲେ। ଏହା ସତ୍ତ୍ୱେ, ରୋହିତ ଏକ ପ୍ରମୁଖ ରେକର୍ଡ ହାସଲ କରିଛନ୍ତି। ରୋହିତ ଶର୍ମା ଏବେ ଦିନିକିଆ କ୍ରିକେଟରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ସର୍ବାଧିକ ରନ୍ ସ୍କୋରରଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ସେ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଭାରତରେ ଦିନିକିଆରେ ତୃତୀୟ ସର୍ବାଧିକ ରନ ସ୍କୋରର ହୋଇଛନ୍ତି।
ତାଙ୍କର ଅର୍ଦ୍ଧଶତକୀୟ ଇନିଂସରେ, ରୋହିତ ଶର୍ମା ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ) ଦେଶରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ରଖିଛନ୍ତି। ରୋହିତ ଶର୍ମା ଏବେ ସେନା ଦେଶରେ 150 ରୁ ଅଧିକ ଛକା ମାରିଛନ୍ତି, ଯାହା ତାଙ୍କୁ ଏହି ସଫଳତା ହାସଲ କରିବାରେ ଏସିଆର ପ୍ରଥମ ବ୍ୟାଟସମ୍ୟାନ୍ କରିଛି। ସେ ଅଷ୍ଟ୍ରେଲିଆରେ 55 ଛକ ମାରିଥିବା ବେଳେ ଇଂଲଣ୍ଡରେ 48, ନ୍ୟୁଜିଲାଣ୍ଡରେ 31 ଓ କ୍ଷିଣ ଆଫ୍ରିକାରେ 16 ଛକା ମାରିଛନ୍ତି।
ସେହିପରି ଅଷ୍ଟ୍ରେଲିଆରେ ଦିନିକିଆରେ ସର୍ବାଧିକ ରନ କରିଥିବା ବ୍ୟାଟସମ୍ୟାନ୍
ରୋହିତ ଶର୍ମା (ଭାରତ) ତାଲିକାରେ ଆଗରେ ଅଛନ୍ତି। 21 ମ୍ୟାଚ୍ରେ, ରୋହିତ 55.77 ହାରରେ 1026* ରନ କରିଛନ୍ତି, ଯେଉଁଥିରେ ଚାରିଟି ଶତକ ଏବଂ ତିନୋଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ତାଙ୍କର ସର୍ବୋତ୍ତମ ସ୍କୋର 171, ଏବଂ ସେ 76 ଚୌକା ଏବଂ 29 ଛକା ମାରିଛନ୍ତି। ବିରାଟ କୋହଲି 20 ମ୍ୟାଚ୍ରେ 802* ରନ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯେଉଁଥିରେ ତିନିଟି ଶତକ ଏବଂ ଚାରିଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ସଚିନ ତେନ୍ଦୁଲକର ତୃତୀୟ ସ୍ଥାନରେ ଅଛନ୍ତି, ଭାରତ ପାଇଁ 25 ମ୍ୟାଚ୍ରେ 740 ରନ କରିଛନ୍ତି। ଏମଏସ ଧୋନି ଚତୁର୍ଥ ସ୍ଥାନରେ ଅଛନ୍ତି, 21 ମ୍ୟାଚ୍ରେ 45.60 ହାରରେ 684 ରନ କରିଛନ୍ତି। ତାଙ୍କର ପାଞ୍ଚଟି ଅର୍ଦ୍ଧଶତକ ଏବଂ ସର୍ବୋତ୍ତମ ସ୍କୋର 87*। ସେ 32ଟି ଚୌକା ଏବଂ 12ଟି ଛକା ମାରିଥିଲେ।