ମହୁମାଛି ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର

ବାଲିଗୁଡ଼ା: ଶିଆଳି ପତ୍ର ସଂଗ୍ରହ ବେଳେ ମହୁମାଛି ଆକ୍ରମଣରେ ଜଣେ ମହିଳା ମୃତ, ଦୁଇ ଜଣ ମହିଳା ଗୁରୁତର । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡିଗଡ଼ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ବାଟିକିଲୁ ଗାଁ ର ମହିଳା ମୁନୁରି ମାଝୀ ହୋଇଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ଗତକାଲି ମୁଣ୍ଡିଗଡ଼ ପଞ୍ଚାୟତର ବାଟିକିଲୁ ଗାଁ ଲୋକେ ଶିଆଳି ପତ୍ର ସଂଗ୍ରହ କରିବାକୁ ଗୁମୁରାଗାଁ ନିକଟସ୍ଥ ଆଲିଙ୍ଗସରୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ଶିଆଳି ପତ୍ର ସଂଗ୍ରହ କରୁଥିବା ବେଳେ ଗୋଟିଏ ପରିବାରର ତିନିଜଣ ମହିଳା ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିଲେ । ପରିବାର ଲୋକେ ସେମାନଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସୁଧୁରି ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ବାଲିଗୁଡ଼ାରେ ଚିକିତ୍ସିତ ଅବସ୍ଥାରେ ମୁନୁରି ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ମହିଳା ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ଆମେ ଗରିବ ଲୋକ, ଶିଆଳି ପତ୍ର ସଂଗ୍ରହ କରି ତାକୁ ବିକ୍ରୀ କରି ଆମେ ପରିବାର ପ୍ରତିପୋଷଣ କରୁଛୁ । ଏଣୁ ଏହି ଘଟଣାରେ ସରକାର ଆମକୁ କିଛି ଆର୍ଥିକ ସହାୟତା କରନ୍ତୁ ବୋଲି କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ ସିମିଆ ମାଝୀ ।

Comments (0)
Add Comment