ପୁରୀ : ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧାରଣା ଓ ନାରାବାଜି କରାଯାଇଛି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି ନେଇ ଏହି ଧାରଣା ଦିଆଯାଇଛି । କୋଭିଡ ମହାମାରୀ ଯୋଗୁ ଗତ ୨୦୨୦ ମାର୍ଚ୍ଚ ମାସରୁ ଶ୍ରୀମନ୍ଦିରର ଚାରିଦ୍ୱାର ଭକ୍ତଙ୍କ ପ୍ରବେଶ କରିବା ନେଇ କଟକଣା ଜାରି ହୋଇଥିଲା । ତେବେ କୋଭିଡ ମହାମାରୀ କମିବା ପରେ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ପ୍ରବେଶ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । କେବଳ ସିଂହଦ୍ୱାର ବାଟେ ପ୍ରବେଶ ଅନୁମତି ଥିବାରୁ ଭକ୍ତଙ୍କ ସହିତ ପୁରୀ ବାସିନ୍ଦା ବେଶ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଗୋଟିଏ ପଟେ ପ୍ରବେଶ ଅନୁମତି ଥିବାରୁ ଲମ୍ବା ଲାଇନ୍ ଲାଗି ରହୁଛି । ଫଳରେ ଅତ୍ୟାଧିକ ଭିଡ଼ ଯୋଗୁ ବୟସ୍କ, ମହିଳା ଓ ଶିଶୁମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସେହିପରି ପୁରୀ ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ ସହିତ ମହାପ୍ରସାଦ ଟିକିଏ ଆଣିବା ପାଇଁ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡା ହେଉଛନ୍ତି । ଏଥିଯୋଗୁ ପୁରୀରେ ଥିବା ବୟସ୍କ ବ୍ୟକ୍ତି ମାନେ ଦୈନନ୍ଦିନ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ତେଣୁ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ସହ ଆନନ୍ଦ ବଜାରରୁ ମହାପ୍ରସାଦ ଆଣିବା ପାଇଁ ପୂର୍ବ ଭଳି ସମସ୍ତ ଦ୍ୱାରକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲି ଦେବା ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।