ପୁରୀ : ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ଖୋଲିଛି ପଶ୍ଚିମ ଦ୍ୱାର । ପରିଚୟ ପତ୍ର ଦେଖାଇ ପ୍ରବେଶ କରୁଛନ୍ତି ପୁରୀବାସୀ । ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ୱାରା ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ । ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ଛତିଶା ନିଯୋଗ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ଗଠିତ ସ୍ୱତନ୍ତ୍ର ସବ-କମିଟିର ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି । ସେହିଭଳି ଅନ୍ୟ ଦୁଇ ଦ୍ୱାର ତଥା ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ଗତକାଲି ବସିଥିବା ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳଙ୍କ ସମେତ ପରିଚାଳନା କମିଟିର ୫ ଜଣ ସେବାୟତ ସଦସ୍ୟ ଓ ଛତିଶା ନିଯୋଗର ଅନ୍ୟ ୩ଜଣ ବରିଷ୍ଠ ସେବାୟତ ସଦସ୍ୟ ଉପସ୍ଥିତ ଥିଲେ ।