ଦଶପଲ୍ଲା : ମନ୍ଥି ପକାଇଲାଣି ମୋନ୍ଥା । ପ୍ରତିବର୍ଷ ଧାନ ଅମଳ ସମୟ ଆସିଲେ ମାଡ଼ିଆସୁଛି ବର୍ଷା, ବନ୍ୟା ଓ ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ତା’ର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ୨ଦିନ ଧରି ଝିପିଝିପି ବର୍ଷା ହେବା ଫଳରେ ଖାଲ ଜମିରେ ପାଣି ଜମି ରହିଛି। ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଓ ଆଜି ଦଶପଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ହେଲେ ବାତ୍ୟା ଓ ବର୍ଷାକୁ ଆଖି ଆଗରେ ରଖି ଚାଷୀ ଜମିରୁ ଧାନ କାଟିବାକୁ ତତ୍ପର ହୋଇ ପଡ଼ିଥିଲେ। କିଏ ଧାନବିଡ଼ା ଖଳାରେ ପକାଇଛି ତ ପୁଣି କିଏ ଧାନକାଟି ଜମିରେ ପକାଇଛି । ଏହା ମଧ୍ୟରେ ଝିପିଝିପି ବର୍ଷା ପାଇଁ ଏବେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କଟା ହୋଇ ପଡ଼ିଥିବା ଧାନଗୁଡ଼ିକ ପାଣିରେ ବୁଡ଼ି ରହିଛି। ଯାହାକି ସେସବୁ ଧାନ ଅମଳ କରିବା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତା ସହିତ, ଦଶପଲ୍ଲା ପଶ୍ଚିମାଞ୍ଚଳର ଚାଷୀ ହାତୀ ଓ ବାହାଁ ଉପଦ୍ରବ ରୁ ଫସଲ ରକ୍ଷା କରିବା ପାଇଁ ବିଲ ମୁଣ୍ଡରେ ଜଗି ବସିଥିବା ଦେଖାଯାଉଛି ।