ଜଙ୍ଗଲ ଅଧିକାର ଆଇନ ଉଲଙ୍ଘନକୁ ବିରୋଧ, ଗ୍ରାମସଭା ମହାସଂଘର ଜାତୀୟ ରାଜପଥ ଅବରୋଧ

କୋକସରା : ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଜାଣିଶୁଣି ଉଲଙ୍ଘନ ଓ ଜଙ୍ଗଲ ବିଭାଗର ମନମୁଖୀ କାର୍ଯ୍ୟ ଏବଂ ଗ୍ରାମସଭାର କେନ୍ଦୁପତ୍ର ବୋଝେଇ ଟ୍ରକକୁ ବେଆଇନ ଭାବେ ଜବତ କରିଥିବା ପ୍ରତିବାଦରେ ଶୁକ୍ରବାର ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି କନ୍ଦାଗଡ଼ ଛକଠାରେ ରାସ୍ତା ଅବରୋଧ କରାଯାଇଛି। କୋକସରା ବ୍ଳକ ଗ୍ରାମସଭା ମହାସଂଘର ଆହ୍ବାନ କ୍ରମେ ସକାଳ ୯ଟା ୩୦ ସମୟରୁ ରାସ୍ତା ଅବରୋଧ କରାଯାଇଥିଲା। ଗତ ଶୁକ୍ରବାର ଦିନ ଗ୍ରାମସଭାର ଟ୍ରାନଜିଟ୍ ପାସରେ କେନ୍ଦୁପତ୍ର ଚାଲାଣବେଳେ ଏକ ଟ୍ରକ୍ କୁ ଅଟକ ରଖି ପରେ ଟ୍ରକ ହେଲପରକୁ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିଲା। ଏହାକୁ ବେଆଇନ ଦର୍ଶାଇବା ସହ କେଉଁ ଆଇନ୍ ଅଧିକାରରେ ଗାଡ଼ି ଜବତ୍ ଓ କୋର୍ଟ ଚାଲାଣ କରାଗଲା ବୋଲି ଗ୍ରାମସଭା କମିଟି ବିରୋଧ କରି ରାସ୍ତା ରୋକ କରାଯାଇ ପ୍ରତିବାଦ କରାଯାଇଥିଲା। ରାସ୍ତା ଅବରୋଧ ଫଳରେ କଳାହାଣ୍ଡି ଓ ନବରଙ୍ଗପୁର ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଥିଲା। ଏହାପରେ କୋକସରା ତହସିଲଦାର, ସ୍ଥାନୀୟ ପୋଲିସ ପ୍ରଶାସନ, ଧର୍ମଗଡ଼ ରେଞ୍ଜର, କେନ୍ଦୁପତ୍ର ଜଙ୍ଗଲ ବିଭାଗର ଏସିଏଫ, ଡେପୁଟି କଲେକ୍ଟର ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଗ୍ରାମସଭା ମହାସଂଘର କର୍ମକର୍ତ୍ତା ଓ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ଦିର୍ଘ ସମୟ ଧରି ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଟଳ ରହିଥିଲେ। ଏହାପରେ ଅଧିକାରୀ ମାନେ ସେମାନଙ୍କୁ ବୁଝାଇ ଚଳିତ ବର୍ଷରେ କ୍ରୟ କରାଯାଇଥିବା କେନ୍ଦୁପତ୍ରକୁ ଆଇନ ଅନୁଯାଇ ବିକ୍ରୟ କରିବା ସହ ନିଜସ୍ବ ପରମିଟରେ ଚାଲାଣ କରିବା ପାଇଁ କହିବା ସହ ୬ମାସ ପରେ ପ୍ରଶାସନର ଉପସ୍ଥିତରେ ପୁନର୍ବାର ଗ୍ରାମସଭା ଗଠନ କରାଯାଇ ନିୟମ ଅନୁସାରେ ବିକ୍ରୀ କରିବା ପାଇଁ କହିଥିବା ଜଣାପଡିଛି। ଏବଂ କୋର୍ଟ ଚାଲାଣ ହୋଇଥିବା ଗାଡ଼ିକୁ ଉଦ୍ଧାର କରିବା ପାଇଁ କୋର୍ଟ ପାଖରେ ଗୁହାରି କରିଯିବ ବୋଲି କହିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି। ପାଖାପାଖି ସାଢ଼େ ୫ ଘଂଟା ରାସ୍ତା ଅବରୋଧ ଫଳରେ ଶହ ଶହ ଗାଡ଼ି ଅଟକି ରହିଥିବାବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

Comments (0)
Add Comment