ୟୁକ୍ରେନରେ ଫଶିଛନ୍ତି ସୋନପୁରର ଛାତ୍ର, ସୁରକ୍ଷିତ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କଠାରେ ନିବେଦନ କଲେ ମାଆ

ସୁବର୍ଣ୍ଣପୁର : ୟୁକ୍ରେନ ଉପରେ ଋଷର ଘନଘନ ମିସାଇଲ ଆକ୍ରମଣ ଜାରି ରହିଥିବାରୁ ବିଶ୍ୱବାସୀଙ୍କ ଚିନ୍ତା ବଢି ଯାଇଛି । ଏପରି ସ୍ଥଳେ ସୋନପୁର ସହରର ଜଣେ ଛାତ୍ର ମଧ୍ୟ ୟୁକ୍ରେନରେ ଫସି ରହିଥିବା ଜଣାପଡିଛି । ସୋନପୁର ଅଧିବାସୀ ଦିଲ୍ଲୀପ କୁମାର ବିଶି ଏବଂ ନନ୍ଦିନୀ ବିଶିଙ୍କ ପୁଅ ଆଶିଷ କୁମାର ବିଶି ୟୁକ୍ରେନରେ ଡାକ୍ତରୀ ପଢୁଛନ୍ତି । ୨୪ ବର୍ଷୀୟ ଆଶିଷ ଖାରକିଭ୍‌ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିର ଶେଷ ବର୍ଷର ଛାତ୍ର । ପରିବାର ଲୋକଙ୍କ କହିବା ମୁତାବକ ଆଶିଷଙ୍କ କେବଳ ଶେଷ ସେମିଷ୍ଟାର ପରୀକ୍ଷା ବାକି ଥିଲା । ଆଉ ମାତ୍ର କିଛି ଦିନ ପରେ ଡାକ୍ତରୀ ପାଠ୍ୟକ୍ରମ ସମାପ୍ତ ହୋଇଥାନ୍ତା । ହେଲେ ଏଭଳି ପରିସ୍ଥିତିରେ ବାପା, ମା ଏବଂ ମାମୁଁ ଆଶିଷଙ୍କ ସହ ଫୋନ୍‌ରେ କଥାବର୍ତ୍ତା ହୋଇ ସମସ୍ତ ଘଟଣା ସଂପର୍କରେ ବୁଝିଥିଲେ । ଗତକାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । କିପରି ସମସ୍ତ ଭାରତୀୟ ଛାତ୍ର ଛାତ୍ରୀ ସୁରକ୍ଷିତ ଭାବରେ ସ୍ୱଦେଶକୁ ପ୍ରତ୍ୟାବର୍ତନ କରିବେ ସେ ସଂପର୍କରେ ଆଲୋଚନା ମଧ୍ୟ କରିଛନ୍ତି । ୟୁକ୍ରେନରେ ରହୁଥିବା ଭାରତୀୟ ଏବେ ସଂପୂର୍ଣ୍ଣ ଭୟଭୀତ ହୋଇପଡିଥିବା ଜଣାପଡିଛି । ଯୁଦ୍ଧର ଘୋମାଘଟ ମଧ୍ୟରେ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେମାନେ ସୁରକ୍ଷିତ ଭାବରେ ଭାରତକୁ କେମିତି ଫେରିଆସିବେ, ସେଥିପାଇଁ ସେମାନେ ସମସ୍ତେ ଚିନ୍ତାଗ୍ରସ୍ତ ଅଛନ୍ତି । ଆଶିଷ ରହୁଥିବା ହଷ୍ଟେଲକୁ ବୋମା ବର୍ଷଣର ଶବ୍ଦ ଶୁଭୁଥିବା ସେ ଆଜି ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି । ପରିସ୍ଥିତିକୁ ଦେଖି ନିକଟସ୍ଥ ଦୋକାନରୁ ସାଙ୍ଗମାନଙ୍କ ସହ କିଛି ଦିନର ସାମଗ୍ରୀ ସେ କିଣି ଆଣିଥିବାର ପ୍ରକାଶ କରିଛନ୍ତି । ତେବେ ଭାରତୀୟ ଛାତ୍ରଙ୍କ ଭିତରେ ଏକ ଭୟର ବାତାବରଣ ଖେଳି ଯାଇଛି ବୋଲି ଆଶିଷ କହିଛନ୍ତି । ସ୍ଥାନୀୟ ଦୂତାବାସ ସହ ସେମାନେ ଲଗାତାର ସଂପର୍କରେ ଅଛନ୍ତି ବୋଲି ସେ ପ୍ରକାଶ କରି ତାଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି । ଆଶିଷଙ୍କ ସହ ସମସ୍ତ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଆଶିଷଙ୍କ ମା ନନ୍ଦିନୀ ବିଶି ଆକୁଳ ନିବେଦନ କରିଛନ୍ତି ।

Comments (0)
Add Comment