ହରଭଙ୍ଗା : ପ୍ରକୃତିର ଏକ ବିଚିତ୍ର ସୃଷ୍ଟି, ପାର୍ବଣକୁ ସ୍ୱାଗତ କରିବା ପାଇଁ ସଜେଇ ହେଲାଣି ପ୍ରକୃତି ରାଣୀ । ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ଦୁର୍ଗାପୂଜା । ମାଙ୍କ ଆଗମନକୁ ନେଇ ପୁଲକିତ ହୋଇ ଉଠିଲାଣି ଧରଣୀରାଣୀ । ଶସ୍ୟ ଶ୍ୟାମଳା ଧରଣୀ ଆଜି ନିଜର ପାତିଆର ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଂଚଳର ମହାନଦୀ ପଠା ଠାରୁ ଆରମ୍ଭ କରି ନାଳ, ଝରଣା, ଗହୀର ପଠା ଆଦିରେ ଦେଖିବାକୁ ମିଳୁଛି କାଶ ତଣ୍ଡିର ପସରା, କି ଅପୂର୍ବ ଏହି ଦୃଶ୍ୟ । ପ୍ରକୃତି ରାଣୀ କୋଳରେ ଅପୂର୍ବ ଆକର୍ଷଣୀୟ ହୋଇ ଉଠୁଛି ନଦୀ ପଠା । ଏହି ଧୋବ ଫରଫର କାଶ ତଣ୍ଡିକୁ ଦେଖିଲେ କବି ମନ ପୁଲକିତ ହୁଏ । ଏ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ସତ୍ତେ୍ୱ ନଦୀ ନାଳ ପଠା ଗୁଡିକରେ ତା’ର ସତ୍ତା ବଜାୟ ରଖିଛି କାଶତଣ୍ଡୀ । ଦେଖଣାହାରୀଙ୍କ ମନରେ ଚେନାଏ ହସ ଭରିଦେବା ସହ କବିକୁ ଭାବୁକ କରିଦେଇଛି ଏହି କାଶତଣ୍ଡି ।