ବାଇକ କନ୍ଧମାଳରେ ଚାଲାଣ କଟିଲା ଝାରସୁଗୁଡ଼ାରେ

ବାଲିଗୁଡ଼ା: ରାଜ୍ୟ ସରକାର ନୂତନ ମୋଟର ଯାନ ଆଇନ ଆଣି ଲୋକଙ୍କୁ ସରକାରୀ ନିୟମ ମାନି ଗାଡ଼ି ଚଳାଚଳ କରିବାକୁ କହୁଥିବାବେଳେ ଆଇନ ଅମାନ୍ୟ କଲେ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି । ତେବେ ସରକାରୀ ବାବୁଙ୍କ ଭୁଲ ଯୋଗୁଁ ଜଣେ ମୋଟରସାଇକେଲ ମାଲିକ ଏବେ ହରଡ଼ ଘଣାରେ ପଡି ଯାଇଛନ୍ତି । ବାଇକ କନ୍ଧମାଳରେ ଥିବା ବେଳେ ଚାଲାଣ କଟିଛି ଝାରସୁଗୁଡ଼ାରେ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ଗ୍ରାମରୁ । ସୂଚନା ପ୍ରକାରେ ସିମନବାଡି ଗ୍ରାମର ମନରଞ୍ଜନ ସାହୁଙ୍କ ମୋଟରସାଇକେଲ ନମ୍ବର( OD12E3975)ର ଗତ ୭ତାରିଖ ଦିନ ଝାରସୁଗୁଡ଼ା ୪୯ନମ୍ବର ଜାତୀୟ ରାଜପଥର ପୁରାନିବସ୍ତିରେ ସେଠାକାର ଟ୍ରାଫିକ ପୋଲିସ ଦ୍ୱାରା ୭ହଜାର ଟଙ୍କାର ଚାଲାଣ କଟାଯାଇଛି । ବିନା ଡ୍ରାଇଭିଂ ଲାଇସେନ୍ସରେ ବାଇକ ଚଳାଇବା ପାଇଁ ୫ହଜାର ଏବଂ ଦ୍ରୁତ ଗତିରେ ଗାଡ଼ି ଚଳାଇବା ପାଇଁ ୨ହଜାର ଟଙ୍କା ଜୋରିମାନା ନେଇ ଚାଲାଣ କଟା ଯାଇଛି । ତେବେ ମନରଞ୍ଜନ ୭ତାରିଖରେ ନିଜ ଗ୍ରାମ ସିମନବାଡିର ଥିବା ବେଳେ ତାଙ୍କ ବାଇକ ମଧ୍ୟ ଗାଁ ରେ ହିଁ ଥିଲା ଯାହାର ସିସିଟିଭି ଫୁଟେଜ ମଧ୍ୟ ରହିଛି । ତେବେ ତାଙ୍କ ବାଇକ ତାଙ୍କ ପାଖରେ ଥିବା ବେଳେ କିଭଳି ଝାରସୁଗୁଡ଼ାରେ ଚାଲାଣ କଟିଲା । ସେ ନେଇ ତାଙ୍କ ପାଖକୁ ଇ-ଚାଲାଣ ଆସିବା ପରେ ସେ ତାହା ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଯାହା ଫଳରେ ସେ ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି ।

Comments (0)
Add Comment