ବାଲିଗୁଡ଼ା: ଦିନକୁ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ୍ । ଗତକାଲି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ ଚୋରାଚାଲାଣ ହେବା ନେଇ ସୂଚନା ପାଇଥିଲା । ସିଟି ସ୍କୁଲ୍ ଛକ ନିକଟରୁ ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋ ପିକ୍ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ପୋଲିସକୁ ଚକମା ଦେଇ କୌଶଳକ୍ରମେ ଦୁଇଜଣ ମାଫିଆ ଘଟଣାସ୍ଥଳରୁ ଚମ୍ପକ ମାରିଥିବା ଜଣାପଡ଼ିଛି । ସମ୍ପୃକ୍ତ ଭ୍ୟାନ OD33AB 9906 ସମେତ ସେଥିରୁ ୧୪୧ କେଜି ୩୦୦ଗ୍ରାମ ବେଆଇନ୍ ଗଞ୍ଜେଇ ଜବତ ହୋଇଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ଏନେଇ ବାଲିଗୁଡ଼ା ଥାନା କେସ୍ ନଂ ୭୫/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ । ଗଞ୍ଜେଇ ଚୋରା ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ପୋଲିସ ସଜାଗ ରହିଛି ଏବଂ ଏବଂ ଏହାର ମୂଳ ଉତ୍ପାଟନ କରିବା ପାଇଁ ଆମେ ଆମର ପ୍ରଚେଷ୍ଟା ଜାରି ରଖିଛୁ ବୋଲି କହିଛନ୍ତି ଥାନା ଅଧିକାରୀ ବାବାଶଙ୍କର ସରାଫ୍ ।