ପୂର୍ବତନ ସୈନିକ ଓ ସହିଦଙ୍କ ପତ୍ନୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର:ଏଠାକାର ବୀର ସୁରେନ୍ଦ୍ର ସାଏ ଷ୍ଟେଡିୟମ ପରିସର ସ୍ଥିତ ଏନସିସିର ପଶ୍ଚିମ ଓଡ଼ିଶା ଷ୍ଟେସନ ମୁଖ୍ୟାଳୟଠାରେ ପରାକ୍ରମ ପ୍ରଦର୍ଶନ ପାଇଁ ପୂର୍ବତନ ସୈନିକ, ସୈନିକଙ୍କ ବିଧବା ପତ୍ନୀ ଓ ମାତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟାଳୟର ମୁଖ୍ୟ ଭାବେ ପ୍ରଶାସନିକ କମାଣ୍ଡେଣ୍ଟ ଲେଫ୍ଟିନେଣ୍ଟ କର୍ଣ୍ଣେଲ ନରେଶ ଚନ୍ଦ୍ର ସଭା ଆରମ୍ଭରେ ସ୍ୱାଗତ ଭାଷଣ ଦେଇଥିଲେ । ତାଙ୍କରି ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦେଶାତ୍ମବୋଧକ କାର୍ଯ୍ୟକ୍ରମରେ ହାବିଲଦାର ମେହବୁବ ଖାଁ ଓ ଗନର ଅମୀୟ ଗୋଛୀ ତାଙ୍କୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେବା ପୂର୍ବରୁ କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା ମଧ୍ୟ ଏକତ୍ରିତ ସମାବେଶକୁ ସମ୍ବୋଧିତ କରି ନିଜ ମତାମତ ରଖିଥିଲେ । ଭାରତୀୟ ୟୁରେନିୟମ ନିଗମରେ ଜଣେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କର୍ଣ୍ଣେଲ ପଣ୍ଡାଙ୍କୁ ଭାରତୀୟ ସେନାରେ ସକ୍ରିୟ ଥିବା ସମୟରେ ଦେଶର ଉତ୍ତର ପୂର୍ବାଞ୍ଚଳରେ ପରାକ୍ରମ ପ୍ରଦର୍ଶନ ଓ ଆତଙ୍କବାଦକୁ ସଫଳତା ସହିତ ନିୟନ୍ତ୍ରିତ କରିବା ପାଇଁ ସେନା ମେଡାଲରେ ସମ୍ମାନିତ କରାଯାଇଥିଲା ଓ ସେବା ନିବୃତ୍ତି ପରେ ମଧ୍ୟ ବର୍ତ୍ତମାନ ସେ ସାମାଜିକ ସେବା କ୍ଷେତ୍ରରେ ସକ୍ରିୟ ଅଛନ୍ତି । ଏହି ସଭାରେ ଅନ୍ୟ ସବୁ ସମ୍ବର୍ଦ୍ଧିତ ସୈନିକମାନେ ହେେ, ସୁବେଦାର ମେଜର ପ୍ରଦୀପ ବେକ, ସୁବେ ମେଜର ନବୀନ କୁମାର ପ୍ରଧାନ ଓ ସିପାହୀ କନ୍ଦର୍ପ ପ୍ରଧାନ । ଏମାନଙ୍କ ବ୍ୟତୀତ କିଛି ସୈନିକଙ୍କ ବିଧବା ପତ୍ନୀମାନଙ୍କୁ ଅସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନେତାଜୀ ସୁବାଷ ବୋଷଙ୍କ ଦ୍ୱାରା ଗଠିତ ଭାରତୀୟ ରାଷ୍ଟ୍ରୀୟ ସେନାର ସିପାହୀ ଶହୀଦ ମାୟାଧର ଷଡ଼ଙ୍ଗୀଙ୍କ ବିଧବା ପତ୍ନୀ ଶ୍ରୀମତୀ ଯୋଗମାୟା ଷଡ଼ଙ୍ଗୀ, ଭାରତୀୟ ସେନାର ଶହୀଦ ହାବିଲଦାର ରାଜେଶ କୁମାର ସାହୁଙ୍କ ବିଧବା ପତ୍ନୀ ଶ୍ରୀମତୀ ଦୀପ୍ତି ସାହୁ, ଶହୀଦ ସିପାହୀ ଦୁର୍ଗା ଚରଣ ଓରାମଙ୍କ ବିଧବା ପତ୍ନୀ ଶ୍ରୀମତୀ ଦଶେନ୍ଦ୍ରୀ ଟୋପୋ, ଶହୀଦ ସୁବେଦାର ବ୍ରଜ କିଶୋର ନାୟକଙ୍କ ବିଧବା ପତ୍ନୀ ଶ୍ରୀମତୀ ମାଳାବତୀ ନାୟକ ଓ ଶହୀଦ ସିପାହୀ ନିରଞ୍ଜନ ଖରସେଲଙ୍କ ମାତା ଶ୍ରୀମତୀ ତିଲୋତ୍ତମା ଖରସେଲ ।

Comments (0)
Add Comment