ହୀରାକୁଦକୁ ପ୍ରବିଷ୍ଟ ବନ୍ୟାଜଳର ପରିମାଣ ବୃଦ୍ଧିରୁ କର୍ତ୍ତୃପକ୍ଷ ଆଶ୍ୱସ୍ତ

ସମ୍ବଲପୁର: ଏବର୍ଷ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଚାରିଆଡେ ପରିଲକ୍ଷିତ ଜଳ ସଂକଟ ସ୍ଥିତି ପରି ଏଠାରେ ହୀରାକୁଦ ଜଳଭଣ୍ଡାରର ସ୍ଥିତି ମଧ୍ୟ ସମସ୍ତଙ୍କୁ ଚିନ୍ତିତ କରିଥିଲା । ପୂର୍ବରୁ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ମାନସୁନର ଆଗମନ ସହିତ ଜୁନ ମାସର ପ୍ରଥମ ଦିନରୁ ଯେ କୌଣସି ଦିନ ଏଥିରୁ ଜଳ ନିଷ୍କାସନ ହେବା କଥା ଓ ସେହି ଅନୁସାରେ ପ୍ରଶାସନ ପକ୍ଷରୁ ମହାନଦୀ ଦୁହି କୁଳରେ ବସବାସ କରୁଥିବା ଜନସାଧାରଣଙ୍କୁ ସତର୍କ କରାଯାଇଥିଲା । ଏହି ସଂକ୍ରାନ୍ତରେ ସବୁଠାରୁ ଚିନ୍ତାର ବିଷୟ କି ହୀରାକୁଦ ବନ୍ଧର କବାଟ ଖୋଲି କୌଣସି ମତେ ଜଳନିଷ୍କାସନ ଏପର୍ଯ୍ୟନ୍ତ ହୋଇପାରି ନାହିଁ, କାରଣ ଉପର ମୁଣ୍ଡରୁ ସେହି ପରିମାଣରେ ବନ୍ୟାଜଳ ଆସି ପାରିନାହିଁ । ସେ ଯାହାହେଉ ଆଜି ପ୍ରଥମ କରି ଜଳପ୍ରବାହର ପରିମାଣ ଲକ୍ଷେକୁ ଟପି ୨ ଲକ୍ଷ କ୍ୟୁସେକ ପାଖାପାଖି ହୋଇଛି, କାରଣ ଏହାର ଉପରମୁଣ୍ଡ ଛତିଶଗଡ଼ରେ ନିର୍ମିତ କଲମା ବ୍ୟାରେଜରୁ ପ୍ରାୟ ଦଶରୁ ଅଧିକ କବାଟ ଖୋଲି ଜଳ ନିଷ୍କାସନ କରାଯାଉଛି । ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଜଳଭଣ୍ଡାରକୁ ୧ଲକ୍ଷ ୭୯ ହଜାର ୮୩୪ ଘନଫୁଟ ଜଳରାଶି ପ୍ରତି ପ୍ରବେଶ କରୁଥିଲା । ମୁଖ୍ୟ ବନ୍ଧର ସମସ୍ତ କବାଟ ବନ୍ଦ ରହିଥିଲା, ତଥାପି ପାୱର ଚେନେଲ ଓ ବିଭିନ୍ନ କେନାଲ ବାଟେ ପ୍ରାୟ ୨୮ ହଜାର ୧୪୦ ଘନଫୁଟ ଜଳରାଶି ମହାନଦୀକୁ ନିଷ୍କାସିତ ହେଉଥିଲା । ସେତେବେଳେ ଏହାର ଜଳସ୍ତର ୬୦୩.୭୭ ଫୁଟ ରହିଥିଲା ଓ ଏଥିରେ କ୍ରମଶଃ ବୃଦ୍ଧି ପରିଲକ୍ଷିତ ହେଉଥିଲା । ଗତ ୩୦ ଜୁନରେ ଏହି ଜଳସ୍ତର ଏବର୍ଷର ସର୍ବନିମ୍ନ ୫୯୯ ଫୁଟ ପାଖାପାଖି ପହଞ୍ଚି ଯାଇଥିବାରୁ କର୍ତ୍ତୃପକ୍ଷଙ୍କ ମନରେ ଛନକା ପଶିଯାଇଥିଲା । ଯାହାହେଉ ଇତିମଧ୍ୟରେ ଉପରମୁଣ୍ଡରୁ ଯଥେଷ୍ଟ ପରିମାଣରେ ବର୍ଷାଜଳ ପ୍ରବେଶ ଆରମ୍ଭ ହୋଇଥିବାରୁ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି ।

Comments (0)
Add Comment