ଫୁଲବାଣୀ: କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ସୃଷ୍ଟି କରାଯାଉଛି । ଏପରିକି ଘରୋଇ ଶିକ୍ଷାନୁଷ୍ଠାନରେ ଯାହା ସବୁ ଦିଆଯାଉଛି ତା’ ଠାରୁ ଆହୁରି ଅଧିକ ସୁବିଧା ପାଇବା ପାଇଁ ନୂତନ ଶୈଳୀରେ ଉଚ୍ଚ ବିଦ୍ୟାଳୟମାନଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଉଛି । ରାଜ୍ୟରେ ଯେପରି ସମସ୍ତେ ଉତ୍ତମ ଶିକ୍ଷା ଲାଭ କରି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି । ସେଥିପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ କରାଯାଇଛି । ହେଲେବି ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ପ୍ରହାର କିପରି ହେଉଛି ? ଫଳରେ ପିଲାମାନେ ଭୟରେ ଅଧାରୁ ପାଠପଢା ଛାଡି ଦେଉଛନ୍ତି । ଏପରି ଜଣେ ଶିକ୍ଷକଙ୍କ ମାଡରେ ଛାତ୍ର ଲହୁ ଲୁହାଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପିକରଡି ପଞ୍ଚାୟତ ହାଇସ୍କୁଲରେ । ସ୍କୁଲର ଜିତେନ୍ଦ୍ର ମଲିକ ନାମକ ଜଣେ ଶିକ୍ଷକ ନିଶାଗ୍ରସ୍ତ ଅବସ୍ଥାରେ କୁଆଡେ ପ୍ରତିଦିନ ସ୍କୁଲକୁ ଆସି ଛାତ୍ରଛାତ୍ରୀମାନଙ୍କୁ ଗାଳି ଗୁଳଜ କରିବା ସହ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଗତକାଲି ଚିନ୍ମୟ ପ୍ରଧାନ ନାମକ ୯ମ ଶ୍ରେଣୀ ଛାତ୍ରଙ୍କୁ ଏହି ଶିକ୍ଷକ ମାଡ ମାରିବା ଫଳରେ ଛାତ୍ର ଚିନ୍ମୟ ଆହତ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ବର୍ତ୍ତମାନ ଛାତ୍ର ଜଣକ ଭୟରେ ସ୍କୁଲ ଆସୁନି । ସୂଚନାଯୋଗ୍ୟଯେ, ଗତ ମାସରେ ସିମନବାଡ଼ି ହାଇସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ମାଡମାରିବା ଫଳରେ ଛାତ୍ରୀ ଜଣଙ୍କ ଘରେ ଜଣାଇବା ପରେ ଛାତ୍ରୀର ବାପା ଦାରିଙ୍ଗବାଡି ଥାନାରେ ଏତେଲା ଦେଇଥିଲେ । ପରେ ଏ ସଂପର୍କରେ ଆଲୋଚନା ପରେ ଛାତ୍ରୀ ଜଣଙ୍କ ମାସକ ପରେ ସ୍କୁଲ ଆସିଥିଲେ । ଏତେ ଘଟଣା ପରେବି ଶିକ୍ଷକମାନଙ୍କ ମାନସିକତାରେ ପରିବର୍ତ୍ତନ ହେଉନି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।