ଭୁବନେଶ୍ୱର: ଚଳିତ ମାସରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିବେ। ନୂଆ ଅବକାରୀ ନୀତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଆଲୋଚନା ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦନ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୃଥ୍ବୀରାଜ କହିଛନ୍ତି, ନୂଆ ଅବକାରୀ ନୀତି ଲାଗୁ କରିବା ଲାଗି ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଭାଗର ପ୍ରତିନିଧି ଦଳରେ କେତେଜଣ ଅଧିକାରୀ ଦୁଇଟି ରାଜ୍ୟକୁ ଯାଇ ସେମାନଙ୍କ ରାଜ୍ୟରେ ଲାଗୁ ହୋଇଥିବା ଅବକାରୀ ନୀତିକୁ ଅନୁଧ୍ୟାନକରି ଫେରିଛନ୍ତି। ଚଳିତ ମାସରେ ନୂଆ ଅବକାରୀ ନୀତି କାର୍ଯ୍ୟ ଶେଷ ହୋଇଯିବ। ନୂଆ ଅବକାରୀ ନୀତିରେ ଚୋରା ମାଦକ ଦ୍ରବ୍ୟର ବିକ୍ରି ଉପରେ ରୋକ୍ ଲଗାଯିବ। ଚୋରା ମାଦକଦ୍ରବ୍ୟ ବିକ୍ରି ଉପରେ ଚଢ଼ାଉ ଜୋର୍ଦାର କରାଯାଉଛି।
ଯେଉଁମାନେ ଏଥିରେ ଦୋଷୀ ହୋଇଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ମାସେବ୍ୟାପୀ ‘ନିଶା ନୁହେଁ ଜୀବନ’ କାର୍ଯ୍ୟକ୍ରମ ହେବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିବାରେ ବହୁ ଦିନ ବିଳମ୍ବ କରିସାରିଲେଣି। ୨୦୨୫ ଜାନୁଆରୀରୁ ନୂଆ ଅବକାରୀ ନୀତି ଆଣିବେ ବୋଲି ବିଭିନ୍ନ ସମୟରେ ଅନେକ ତାରିଖ ଦିଆଯାଇଥିଲା। ହେଲେ ସରକାର ଏହା ଆଣିବାରେ ସମୟ ଗଡ଼ାଇ ଚାଲିଛନ୍ତି। ପରବର୍ତ୍ତୀ ସମୟରେ ନୂଆ ଅବକାରୀ ନୀତି ଆଣିବା ଆଗରୁ ଦେଶର ଅନ୍ୟ କେତେକ ରାଜ୍ୟ କେଉଁ ନିୟମ ରଖିଛନ୍ତି ତାକୁ ଦେଖିବା ପରେ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସେହି କ୍ରମରେ ୨ଟି ରାଜ୍ୟରୁ ତଥ୍ୟ ସଂଗ୍ରହ ପରେ ସରକାର ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି ବୋଲି ସୂଚନା ଦିଆଯାଇଛିି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।