ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ବିଭିନ୍ନ ଗଣମାଧ୍ୟମ ଓ ସାଧାରଣରେ ଜିଲ୍ଲାପ୍ରଶାସନ ସରବ୍ୟ ହେବାପରେ ଆଜି ପ୍ରଥମେ ସ୍ଥାନୀୟ ସିଆରସିସି ନରେନ୍ଦ୍ର ରଣା ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକମାନେ ଅଭିଭାବକ ଓ ଛାତ୍ର/ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ମାତ୍ର ଛାତ୍ରମାନେ ରୋକଠୋକ ମନାକରି ବାପା ମା’ଙ୍କ ସହ ବସିରହିବୁ ବୋଲି ଘୋଷଣା କରିଥିଲେ । ଏହାର କିଛିକ୍ଷଣ ପରେ ହରଭଙ୍ଗା ତହସିଲଦାର ଆଇଆଇସି ହରଭଙ୍ଗାଙ୍କ ସହ ପହଞ୍ଚି କ’ଣ ଚାହୁଁଛନ୍ତି ବୋଲି ପଚାରି ବୁଝିଥିଲେ । ଏହାପରେ ଗ୍ରାମବାସୀ କ୍ରସର ଓ କ୍ୱାରୀ ସମ୍ପୂର୍ଣ୍ଣ ବନ୍ଦ ଦାବୀ କରିଥିଲେ ଏବଂ ସ୍କୁଲପିଲାଙ୍କୁ ସ୍କୁଲ ଛାଡିବାକୁ ତହସିଲଦାର ଅନୁରୋଧ କରିଥିଲେ । ମାତ୍ର ଲୋକେ ପରିବେଶ ପ୍ରଦୂଷଣ ଯୋଗୁଁ ଛୋଟଛୁଆମାନେ ନାନାରୋଗକ୍ରାନ୍ତ ହେଉଥବାରୁ ଆଗେ ସ୍ୱାସ୍ଥ୍ୟର ସୁରକ୍ଷା ତାପରେ ଯେଉଁକଥା କହିବା ପରେ ତହସିଲଦାର ଚାଲିଯାଇଥିଲେ । ଆଜିବି ସ୍କୁଲରେ ଉପସ୍ଥାନ ନଗଣ୍ୟ ଥିବା ପରିଲିକ୍ଷିତ ହୋଇଥିଲା । ମାତ୍ର ୭ଜଣ ଛାତ୍ର/ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଚାଲିଥିଲା । ଅପରପକ୍ଷରେ ଆସନ୍ତାକାଲି ବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀ ତହସିଲଦାରଙ୍କୁ ଭେଟି ନିଜର ସୁବିଧା ଅସୁବିଧା ସମ୍ପର୍କରେ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ଅଛି । ଆଜିର ଏହି ଗଣଧାରଣାରେ ଗ୍ରାମ୍ୟକମିଟି ସଭାପତି ଅକ୍ଷୟ ନାୟକ ସମ୍ପାଦକ ହୃଦାନନ୍ଦ ଦେହୁରୀ ମା’ବୁଢୀ ଠାକୁରାଣୀ ମାତୃମଞ୍ଚର ସଭାନେତ୍ରୀ ସୁକୃତା ଭୋଇ ସମ୍ପାଦିକା ତିଳୋତ୍ତମା କହଁର, ରଞ୍ଜନ ବଗର୍ତ୍ତୀ, ଅଶୋକ ପ୍ରଧାନ, ଯୁଗଳ ପ୍ରଧାନ , ଉମେଶ ନାୟକ, ଅରବିନ୍ଦ ଭୋକ୍ତା ଅମନ, ପ୍ରଧାନ ଚରଣ ଦେହୁରୀ, ବିନୋଦ ପାତ୍ର, ରାଜକିଶୋର ଥପା ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ଗ୍ରାମବାସୀ ଯୋଗଦେଇଥିଲେ ।