ରାଷ୍ଟ୍ରପତିଙ୍କ ଗାଁ ବୁଲିବେ ପ୍ରଧାନମନ୍ତ୍ରୀ, ରଖିଲେ କଥା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରକୁ ଯିବେ। ପରେ ସେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆସନ୍ତା ୧୯ ତାରିଖରୁ ଓଡ଼ିଶା ଆସୁଛନ୍ତି। ରାଷ୍ଟ୍ରପତି ହେବା ପରେ ନିଜ ଗାଁ ପାହାଡ଼ପୁରକ ଆସିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଦ୍ରୌପଦୀ ମୁର୍ମୁ ନିମନ୍ତ୍ରଣ କରିଥିଲେ। ରାଷ୍ଟ୍ରପତିଙ୍କ କଥାକୁ ପ୍ରଧାନମନ୍ତ୍ରୀ ରଖିଛନ୍ତି। ୨୦ ତାରିଖରେ ପ୍ରଧାନମନ୍ତ୍ରୀ ପାହାଡ଼ପୁର ଯିବେ ବୋଲି ଜଣାପଡ଼ିଛି। ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର କଲେଇକୁଣ୍ଡାରୁ ପାହାଡ଼ପୁର ଆସିବେ। ସେଠାରୁ ସିଧା ଆଦିବାସୀଙ୍କ ପୂଜାର୍ଚ୍ଚନା ସ୍ଥଳୀ ଗୋଷାଣୀ ପୀଠକୁ ଯିବେ। ସେଠାରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପାହାଡ଼ପୁର ସ୍ଥିତ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ସ୍କୁଲରେ ଛାତ୍ରୀଛାତ୍ରଙ୍କ ସହିତ କିଛି ସମୟ ବିତାଇବେ। ଏହି ସ୍କୁଲକୁ ରାଷ୍ଟ୍ରପତି ନିଜ ସ୍ବାମୀ ଏବଂ ପୁଅଙ୍କ ସ୍ମୃତିରେ ପ୍ରତିଷ୍ଠା କରିଛନ୍ତି।
୨୦ ତାରିଖରେ ପ୍ରଧାନମନ୍ତ୍ରୀ ୧୧ଟା ୫ ମିନିଟ୍‌ ସମୟରେ ପାହାଡ଼ପୁର ହେଲିପ୍ୟାଡ୍‌ରେ ଓହ୍ଲାଇବେ। ୧୧ଟା ୧୫ ମିନିଟ୍‌ରେ ଗୋଷାଣୀ ପୀଠରେ ପହଞ୍ଚି ୧ଘଣ୍ଟା ପାହାଡ଼ପୁରରେ ରହିବେ। ୧୨ଟା ୫୫ ମିନିଟ୍‌ରେ ଦାଣ୍ଡପୋଷ ସଭାସ୍ଥଳରେ ସେ ଯୋଗଦେବେ। ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ। ଦିନ ୧ଟାରୁ ୨ଟା ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହିବେ। ଏହାପରେ ୨ଟା ୧୫ ମିନିଟ୍‌ରେ ଓଡ଼ିଶା ଛାଡ଼ିବେ ବୋଲି ଜଣାପଡ଼ିଛି। ଏହିଭଳି ପ୍ରଧାନମନ୍ତ୍ରୀ ମୋଟ୍‌ ୩ ଘଣ୍ଟା ଓଡ଼ିଶାରେ ରହିବେ।

Comments (0)
Add Comment