ବନ ବିଭାଗରେ ବଡ଼ ଅଦଳବଦଳ

ଭୁବନେଶ୍ୱର: ବନ ବିଭାଗର ସହକାରୀ ବନ ସଂରକ୍ଷକ (ଏସିଏଫ୍) ଓ ରେଞ୍ଜରଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ମୋଟ ୬୧ଜଣ ଏସିଏଫ୍ ବିଭିନ୍ନ ବନଖଣ୍ଡକୁ ବଦଳି ହୋଇଛନ୍ତି । ସେହିପରି ୧୨୪ ଜଣ ରେଞ୍ଜରଙ୍କୁ ମଧ୍ୟ ବିଭିନ୍ନ ପଦବିରେ ଅବସ୍ଥାପିତ କରାଯାଇଛି । ଏନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ବ୍ରହ୍ମପୁର ସାମନ୍ତିପାଲି ବନାଞ୍ଚଳର ଏସିଏଫ୍ ମନୋଜ କୁମାର ପାତ୍ର, ଚନ୍ଦକା ବନଖଣ୍ଡର ଏସିଏଫ୍ ସଂଗ୍ରାମ ମହାନ୍ତି, ଭୁବନେଶ୍ୱର ସିଟି ଡିଭିଜନର ଉତ୍ତର କୁମାର ଗଡ଼ନାୟକ, ସମ୍ବଲପୁର ମଣ୍ଡଳର ଯଶବନ୍ତ କରାଳି ଓ ଚମ୍ପୁଆ ବନାଞ୍ଚଳର ଅକ୍ଷୟ ଛତ୍ରିଆଙ୍କୁ ଓଡି଼ଶା ବନ ଉନ୍ନୟନ ନିଗମରେ ଭାରପ୍ରାପ୍ତ ଖଣ୍ଡୀୟ ପରିଚାଳକ ଦାୟିତ୍ୱ ମିଳିଛି । ଆଉ କିଛି ଏସିଏଫ୍‌ଙ୍କ  ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ସିଲଭିକଲ୍ଚର୍ ବନଖଣ୍ଡ, ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର (ଆର୍ପିଆରସି), ବନ ପ୍ରଶିକ୍ଷଣ ବିଦ୍ୟାଳୟ (ଏଫ୍ଟିଏସ୍), ଓଡିଶା ବନ ରେଞ୍ଜର ମହାବିଦ୍ୟାଳୟ (ଓଏଫ୍ଆରସି) ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ (ଭିଜିଲାନ୍ସ)ର ବନ ସଂସ୍ଥା ୱିଙ୍ଗକୁ ବଦଳି କରାଯାଇଛି ।

ସେହିପରି ଅନୁଗୁଳ (କେନ୍ଦୁପତ୍ର) ବନଖଣ୍ଡରେ ଏସିଏଫ୍ ଥିବା ସୁଶାନ୍ତ କୁମାର ଜେନାଙ୍କୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲା । ତାଙ୍କର ଏହି ବଦଳି ଆଦେଶକୁ ବାତିଲ କରାଯାଇଛି । ସେ ପ୍ରଶାସନିକ ଭିତ୍ତିଭୂମି ଉପରେ ପୂର୍ବଭଳି ଅନୁଗୁଳ (କେନ୍ଦୁପତ୍ର) ବନଖଣ୍ଡରେ ଏସିଏଫ ଭାବେ ଦାୟିତ୍ୱ ତୁଲାଇବେ ।

Comments (0)
Add Comment