ମିଳିମିଳା ଓ ପୋଲିଓ ରୋଗ ଚିହ୍ନଟ ଏବଂ ନିରାକରଣ ବୈଠକ

ଚମ୍ପୁଆ: ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ସଭାଗୃହଠାରେ ଏଡିପିଏଚ୍‌ଓ କେନ୍ଦୁଝର ଡା. ପ୍ରଣତିନି ନାୟକଙ୍କ ସଭାପତିତ୍ୱରେ ଚମ୍ପୁଆ ଏନ.ଏ.ସିରେ ମିଳିମିଳା ଓ ପୋଲିଓ ରୋଗ ଚିହ୍ନଟ ଏବଂ ଏହାର ନିରାକରଣ ନିମନ୍ତେ ପଦକ୍ଷେପ ଗ୍ରହଣ ପୂର୍ବକ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଉମାକାନ୍ତ ସାହୁ,ଏସଏମଓ-ଡବ୍ଲ୍ୟୁଏଚଓ ଡା. ସନ୍ତୋଷ ସାହୁ, ଶିଶୁ ରୋଗ ପରାମର୍ଶଦାତା ଡା. ବିକେ ଦାସ, ଶିଶୁ ରୋଗ ବିଶେଷଜ୍ଞ ସୁନାରାମ ମୁର୍ମୁ, ଫାର୍ମାସିଷ୍ଟ ସୁବ୍ରତ ସେଠି ସମେତ ଚିକିତ୍ସାଳୟର କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ଜନ୍ମରୁ ୧୫ ବର୍ଷ ପିଲା ମାନଙ୍କୁ ଜ୍ୱର ସମୟରେ ଦେହରେ ନାଲି ନାଲି ଦାଗ ହେଲେ ତାଙ୍କୁ ଚିହ୍ନଟ କରାଯିବା ସହ ତାଙ୍କ ରକ୍ତ, ମୂତ୍ର ଏବଂ ଶ୍ୱାସ ନଳୀରୁ ସ୍ୱାବ ସଂଗ୍ରହ କରାଯିବା ସହ ରୋଗ ଚିହ୍ନଟ କେନ୍ଦ୍ରକୁ ପଠାଯିବ । ରୋଗ ଚିହ୍ନଟ ହେଲେ ଏହାର ନିରାକରଣ ଉପରେ କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।

Comments (0)
Add Comment