ବାଲିଗୁଡ଼ା: ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସମସ୍ୟା ।
ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ୭ ନଂ ୱାର୍ଡ ନୁଆସାହି ନିକଟସ୍ଥ ପିପଳ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ସହରାଞ୍ଚଳରେ ଥିବା ଏହି ବିଦ୍ୟାଳୟରେ ବାଲ୍ ବାଟିକା ଠାରୁ ୮ ମ ଶ୍ରେଣୀ ମଧ୍ୟରେ ୧୮୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । କିନ୍ତୁ ଦୀର୍ଘ ବର୍ଷ ଧରି ବିଦ୍ୟାଳୟର ସମସ୍ୟା ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଥିଲେ ମଧ୍ୟ ଏଯାଏଁ ହୋଇପାରିନି ସମସ୍ୟାର ସମାଧାନ । ବିଦ୍ୟାଳୟ ଚତୁଃପାର୍ଶ୍ୱରେ ପାଚେରୀ ନାହିଁ,ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟ କାର୍ଯ୍ୟରେ ଆସୁନି । ଗୋଟିଏ ପଟେ ଆବଶ୍ୟକତା ଅନୁସାରେ ଶ୍ରେଣୀ ଗୃହ ନଥିବା ବେଳେ ଥିବା ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଖସି ଲୁହା ଛଡ଼ ଦେଖାଗଲାଣି । ଅନ୍ୟପଟେ ଭଙ୍ଗା ଦଦରା ଘରେ ରୋଷେଇ ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ । ଯଦି ସହରାଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ଏଭଳି ଚିତ୍ର ତେବେ ଉପାନ୍ତ ଅଞ୍ଚଳରେ କିଭଳି ବ୍ୟବସ୍ଥା ଥିବ ତାହା ସ୍ପଷ୍ଟ ଅନୁମେୟ । ବିଦ୍ୟାଳୟର ଏସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ, କର୍ମଚାରୀ ଓ ପ୍ରଧାନ ଶିକ୍ଷୟତ୍ରୀ ।
ବିଦ୍ୟାଳୟ ପରିସରରେ ପାଚେରୀ ନଥିବାରୁ ରାତିହେଲେ ଅସାମାଜିକ ଲୋକେ ବିଦ୍ୟାଳୟ ପରିସରରେ ଆଡ୍ଡା ଜମାଉଛନ୍ତି । ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନଥିବାରୁ ପିଲାମାନେ ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଇବାକୁ ପଡୁଛି । ପାଚେରୀ ନଥିବାରୁ ଖାଇବା ସମୟରେ ସ୍କୁଲ୍ ପରିସରକୁ ଗାଇ,ଗୋରୁ, ଛେଳି, ଘୁଷୁରୀ ମଧ୍ୟ ପଶି ଆସୁଥିବା ଅଭିଯୋଗ ହୋଇଛି । ଯଥା ସମ୍ଭବ ନିଜ ଖର୍ଚ୍ଚରେ ବିଦ୍ୟାଳୟ ପରିସରକୁ ବାଡ଼ ବାନ୍ଧି ଯେନତେନ ବିଦ୍ୟାଳୟ ପରିସରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭଗବତୀ ଦେଇ ।
ଯାହାକି ସ୍ଥାୟୀ ସମାଧାନ ନୁହେଁ । ଏଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ବିଦ୍ୟାଳୟର ସମସ୍ୟା ସୁଧାରିବା ପାଇଁ ଦାବି କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅର୍ଜୁନ ନାୟକ ଓ ସଦସ୍ୟ । ସେପଟେ ସମସ୍ୟା ବାବଦରେ ଆମେ ଅବଗତ ଅଛୁ, ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ।
ତେବେ ଏହି ବିଦ୍ୟାଳୟ ପ୍ରତି ପ୍ରଶାସନ ଓ ଶିକ୍ଷା ବିଭାଗର କେବେ ଦୃଷ୍ଟି ପଡୁଛି ଏବଂ କେବେ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।