ଭାଲୁ ଆକ୍ରମଣରେ ବନ କର୍ମଚାରୀଙ୍କ ମୃତ୍ୟୁ, ୩ ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ୍‌ କୋନାବିରା ପଞ୍ଚାୟତ ବିରୁନପଦର ଗାଁ ବିଜାଖମନ୍‌ ଜଙ୍ଗଲରେ ଆଜି ପୁଣି ମଣିଷ ମାରିଲା ରକ୍ତମୁଖା ଭାଲୁ । ଗତ ରବିବାର ଦିନ ବାପାଙ୍କୁ ମାରି ପୁଅକୁ ଗୁରୁତର ଘାଇଲା କରିଥିଲା । ଆଜି କୋମନା ବନ ବିଭାଗ ତରଫରୁ ପେଟ୍ରୋଲିଂ କରୁଥିବା ସମୟରେ ୪ ଜଣ ବନ କର୍ମଋରୀଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ୪ ଜଣଙ୍କୁ କୋମନା ବନ ବିଭାଗ କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଙ୍ଗଲରୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପାରା କର୍ମଚାରୀ ସନ୍ତୋଷ ଡୁଣ୍ଡିଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଫରେଷ୍ଟର ଗୋପାଳ ମହାନନ୍ଦ ଓ ଫରେଷ୍ଟ ଗାର୍ଡ ଶଶିଧର ଟାଣିଙ୍କୁ ଉଚ୍ଚ ଚିକିତ୍ସା ପାଇଁ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପାରା କର୍ମଚାରୀ ସାଗର ଠେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଲୋକଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଛି । ସେପଟେ ଭାଲୁକୁ ଘୋଉଡାଇବା ସହ ବିଭିନ୍ନ ଦାବି ନେଇ ଗ୍ରାମବାସୀ ତରଫରୁ ୩୫୩ ଜାତୀୟ ରାଜପଥ ଅବରୋଧ କରିଥିଲେ । କୋମନା ବିଡ଼ିଓ, ତହସିଲଦାର ଓ ଆଇଆଇସି ଧାରଣା ସ୍ଥଳକୁ ଆସି ବୁଝାସୁଝା କରିବା ପରେ ରାସ୍ତାରୋକରୁ ଓହରି ଥିଲେ ଗ୍ରାମବାସୀ । ସେପଟେ କୋମନା ବନ ବିଭାଗ କର୍ମଚାରୀମାନେ ଲୋକଙ୍କ ସୁରକ୍ଷା ପାଇଁ ବିଜାଖମନ୍‌ ଜଙ୍ଗଲରେ ପହରା ଦେଉଛନ୍ତି ।

Comments (0)
Add Comment